ଢେଙ୍କାନାଳ, ନଭେମ୍ବର ୦୬ – କାମ ଅନ୍ୱେଷଣରେ ଥିବା ଓଡ଼ିଶାର ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କୁ ରୋଜଗାର ଦେବା ‘କୌଶଳ ମହୋତ୍ସବ- ୨୦୨୨’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରବିବାର ଢେଙ୍କାନାଳର କାମାକ୍ଷାନଗରରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କୌଶଳ ମହୋତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ୧ କୋଟି ଲୋକ କାମ ଅନ୍ୱେଷଣରେ ବାହରକୁ ଯାଉଥିବା ବେଳେ ଆଜିର କୌଶଳ ଉତ୍ସବ ସ୍ଥାନୀୟ ଓ ରାଜ୍ୟ ବାହାରେ ଆଶାୟୀ ଯୁବକ ଯୁବତୀଙ୍କୁ ଦକ୍ଷତା ଅନୁସାରେ ନିଯୁକ୍ତି ଦେବାରେ ଏକ ଭଲ ପଦକ୍ଷେପ । ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୂତ୍ ହେବ । ବିକଶିତ ଭାରତର ଲକ୍ଷ୍ୟକୁ ଆଗକୁ ନେବାରେ ଓଡ଼ିଶାର ଯୁବକ ଯୁବତୀଙ୍କ ବହୁତ ବଡ଼ ଯୋଗଦାନ ରହିବ । ଆମ ଅଞ୍ଚଳର ଯୁବବର୍ଗଙ୍କ ମଧ୍ୟରେ ଜ୍ଞାନ, କୌଶଳ ଓ ପ୍ରତିଭା ଭରପୁର ରହିଛି ।
ସେ କହିଛନ୍ତି ଅପାର ସମ୍ଭାବନାର ଅଞ୍ଚଳ କାମାକ୍ଷାନଗର । ଢେଙ୍କାନାଳର ଚାଷୀ ପରିବାରରୁ ଆସିଥିବା ଅମରେନ୍ଦ୍ର ଦାସଙ୍କ ଭଳି ଯୁବକ ଆଜି ବାର୍ଷିକ ୧ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ୨୫ ହଜାର ଯୁବକ ଯୁବତୀଙ୍କୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଯୁକ୍ତି ଦେଇ ତାଙ୍କ ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି । ଅନେକ ଓଡ଼ିଆ ପିଲା ନିଜ ଦକ୍ଷତା ବଳରେ ବାହାରେ ପ୍ରତିଷ୍ଠିତ କମ୍ପାନୀରେ କମ୍ପାନୀରେ କାମ କରୁଛନ୍ତି । ଓଡ଼ିଆ ପିଲାଙ୍କୁ ସୁଯୋଗ ତିଆରି କଲେ ସେମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ସମର୍ଥ ରଖିଛନ୍ତି ।
ସେ କହିଛନ୍ତି ଯେ ଆଜି କୌଶଳ ମହୋତ୍ସବରେ ଭିନ୍ନ ଭିନ୍ନ ୨୦ କ୍ଷେତ୍ରରୁ ଉର୍ଦ୍ଧ୍ୱ ୭୦ରୁ ଅଧିକ ପ୍ରମୁଖ କମ୍ପାନୀ ଅଂଶଗ୍ରହଣ କରିଥିଲେ । ମାରୁତି, ଏଚସିଏଲ, ଜେଏସଡବ୍ଲୁ, ଆମାଜନ, ଏଲଏନଟି ଭଳି ଅଗ୍ରଣୀ କମ୍ପାନୀ ଟେକ୍ସଟାଇଲ, ସେଲ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଶୀୟୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଦିଗରେ ସେମାନଙ୍କୁ ରୋଜଗାର ଦେବା ଦିଗରେ ଆଜି କୌଶଳ ମହୋତ୍ସବ ଉପଲକ୍ଷେ ୧୨୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବା ଖୁସିର ବିଷୟ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସଡକପଥ, ରେଳପଥର ବିକାଶକୁ ଗୁରୁତ୍ୱ ଦେବା ସହ ଆକାଶ ପଥରେ ବିମାନ ଉଡାଣ ପାଇଁ ଏୟାରପୋର୍ଟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହିପରି ଶହୀଦ ବାଜି ରାଉତଙ୍କ ଭୂମି ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ଆଗାମୀ ଦିନରେ ଦେଶର ଏକ ଅଗ୍ରଣୀ ଅଞ୍ଚଳ ଓ ଶିଳ୍ପଭିତ୍ତିକ ଅଞ୍ଚଳ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କରକମଳରେ ବହୁ ପ୍ରତିକ୍ଷୀତ ଅନୁଗୋଳ-ସୁକିନ୍ଦା ରେଳ ଲାଇନର ଲୋକାର୍ପଣ କରାଯିବ । ଏହି ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ଜରିଆରେ ଧାମନଗର ବନ୍ଦର ପର୍ଯ୍ୟନ୍ତ ଜଳମାର୍ଗ ତିଆରି କରାଯିବ । ଡୁବୁରିରୁ ବହ୍ଲର ଯାଏଁ ବ୍ୟାପିଥିବା ଜାତୀୟ ରାଜପଥକୁ କେନ୍ଦୁଝର ରାସ୍ତାରେ ଯୋଡିବା ପାଇଁ ଯୋଜନା କରାଯାଉଥିବା ସେ କହିଛନ୍ତି ।
ସେହିପରି ଭାରତ ସରକାର ଦେଶରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଚଳିତ ବର୍ଷ ୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତା, ଘାଟ, ଘର, ଏୟାରପୋର୍ଟକୁ ବିକଶିତ କରୁଛନ୍ତି । ନୂଆ ନୂଆ କାମ ବାହାରୁଛି । ନୂଆ ଶିଳ୍ପ ହେଉଛି । ନୂଆ ନୂଆ କାମ ବାହାରୁଛି । ତେଣୁ କାମ ଅନ୍ୱେଷଣରେ ଥିବା ପ୍ରତିଭାସମ୍ପନ୍ନ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ମୋଦି ସରକାରଙ୍କ କଳ୍ପନାକୁ ସାକାର କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।