ମଧ୍ୟପ୍ରଦେଶରେ ‘ଚିତ୍ରକୂଟ ଗ୍ରାମୋଦୟ ମେଳା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ  

ଚିତ୍ରକୂଟ, ଅକ୍ଟୋବର ୦୯- ଗାଁର ବିକାଶକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ରବିବାର ମଧ୍ୟପ୍ରଦେଶର ଚିତ୍ରକୂଟ ଠାରେ ଗ୍ରାମୋଦୟ ମେଳା ଓ ଶରଦୋତ୍ସବର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ମେଳାରେ ଶ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ୮ ବର୍ଷରେ ଗ୍ରାମାଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଉଛି । ସୌଭାଗ୍ୟ ଯୋଜନାରେ ବିଜୁଳି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ସହ ବିଭିନ୍ନ ଯୋଜନାରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭଳି ଗରିବ କଲ୍ୟାଣ ଯୋଜନାର କ୍ରିୟାନ୍ୱୟନ କରାଯାଇ ମୋଦି ସରକାର ଗାଁର ବିକାଶ କାମରେ ଲାଗିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତର କଳ୍ପନା କରିଛନ୍ତି । ତନ୍ମଧ୍ୟରେ ମୂଳଭୂତ ସୁବିଧା ଗୁଡ଼ିକ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମାଞ୍ଚଳକୁ ପହଞ୍ଚାଇବାର କଳ୍ପନା କରିଛି । ଆଗାମୀ ୨ ବର୍ଷରେ ଦେଶର ୬.୫ ଲକ୍ଷ ଗାଁକୁ ଅପ୍ଟିକାଲ ଫାଇବର ମାଧ୍ମରେ ଇଣ୍ଟରନେଟ୍ ଏବଂ ୫ଜି ନେଟଓ୍ୱାର୍କ ସହ ଯୋଡ଼ାଯିବ । ୫ଜି ସମ୍ପ୍ରସାରଣ ଦ୍ୱାରା ଆଗାମୀ ଦିନ ଗୁଡ଼ିକରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ଟେକ୍ନୋଲୋଜିର ଉପଯୋଗ କରିବା ସହ ମାଣ୍ଡିଆ, ବାଜରା ଏବଂ ଅନ୍ୟାନ୍ୟ କୃଷିଜତ ସାମଗ୍ରୀକୁ ଦେଶର କୋଣ ଅନୁକୋଣକୁ ପହଞ୍ଚାଇ ଆତ୍ମନିର୍ଭର ହୋଇପାରିବେ । ୫ଜି ଗ୍ରାମୀଣ ବିକାଶର ନୂଆ ସମ୍ଭାବନା ସୃଷ୍ଟି କରିବ ।

ଗ୍ରାମୋଦୟ ମେଳା ଏବଂ ଶରଦୋତ୍ସବ ଆତ୍ମନିର୍ଭର ଭାରତର ସର୍ବୋତ୍ତମ ପ୍ରୟୋଗଶାଳା ରୂପରେ ପ୍ରସ୍ଫୃଟିତ ହେବ । ପଣ୍ଡିତ ଦୀନଦୟାଲଙ୍କ ବିଚାର, ଭାରତୀୟ ସଭ୍ୟତାର ପ୍ରମୁଖ କେନ୍ଦ୍ର ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଦୂରଦୃଷ୍ଟି ଏବଂ ଗ୍ରାମ ଉତଥାନର ସଂକଳ୍ପ ଦୃଢ଼ିଭୂତ ହେବ । ଏକ ସଂସ୍କାର ଯୁକ୍ତ, ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ଦେଶ ନିର୍ମାଣ କରିବା ପାଇଁ ନାନାଜୀ ଦେଶମୁଖଙ୍କ ଭଳି ଯୁଗଦ୍ରଷ୍ଟା ଦୀନଦୟାଲ ଗବେଷଣା ସଂସ୍ଥାନର ସ୍ଥାପନା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।