ଭୁବନେଶ୍ୱର ଠାରେ ‘ରଜ ଉତ୍ସବ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ରଜ ଉତ୍ସବ ରାଜ୍ୟବାସୀଙ୍କ ଜୀବନରେ ଆନନ୍ଦ ଭରିଦେଉ – ଧର୍ମେନ୍ଦ୍ର ପ୍ରଧାନ

    ଓଡ଼ିଶାବାସୀଙ୍କୁ ଗଣପର୍ବ ରଜର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
•    ପୁରୀ, ଭୁବନେଶ୍ୱର, ବରଗଡ଼ରୁ ମିଳୁଥିବା ପ୍ରାଚୀନ ମନ୍ଦିରର ମୂର୍ତ୍ତି ଓ ଭଗ୍ନାବଶେଷ ଓଡ଼ିଆ ଜାତିର ଐତିହାସିକ ସମ୍ପନ୍ନତାକୁ ପ୍ରମାଣିତ କରୁଛି

ଭୁବନେଶ୍ୱର, ଜୁନ 14 – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ୱର ମଞ୍ଚେଶ୍ୱର ଠାରେ ଉତ୍ତର ଭୁବନେଶ୍ୱର ଅନନ୍ୟ ମଞ୍ଚ ପକ୍ଷରୁ ଆୟୋଜିତ ରଜ ଉତ୍ସବରେ ଯୋଗଦେଇ ଏହି ଗଣପର୍ବ ରାଜ୍ୟବାସୀଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ।

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ରହିଲି ରଜରେ ସବୁଠି ପିଠା ପଣା, ଦୋଳି ଖେଳର ଆସର ଜମିଛି । ବିଶେଷ ଭାବରେ କୁଆଁରୀ ଓ ମହିଳାମାନେ ରଜ ପର୍ବକୁ ଆଗ୍ରହ ସହକାରେ ପାଳନ କରୁଛନ୍ତି । ମହାପ୍ରଭୁଙ୍କ ରାଜ୍ୟରେ ରଜ ପର୍ବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଆଜିର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ଦିନ ହୋଇଥିବାରୁ ଆଜିର ଦିବସ ହିନ୍ଦୁ ଧର୍ମାବଲମ୍ବୀ ଏବଂ ଓଡ଼ିଆଙ୍କ ପାଇଁ ଉତ୍ସାହର ଦିନ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତେ ସମ୍ପନ୍ନ, ସମୃଦ୍ଧଶାଳୀ ହୁଅନ୍ତୁ ଏବଂ ସମସ୍ତଙ୍କ ଜୀବନରେ ଆନନ୍ଦ, ଉଲ୍ଲାସ ଆଣିଦେଉ ଏବଂ ଆମ ଦେଶ ଓ ରାଜ୍ୟ ପ୍ରଗତି ପଥରେ ଆଗକୁ ବଢ଼ୁ ବୋଲି ସେ କହିଛନ୍ତି ।

ଆମ ଓଡ଼ିଆ ଜାତି କେତେ ମହାନ ଥିଲା ତାହା ବର୍ତ୍ତମାନ ସମୟରେ ଜଣାପଡ଼ୁଛି । ନିକଟରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ପ୍ରାୟ 2 ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ସନ୍ଧାନ ସହ ବୈଜ୍ଞାନିକ ପ୍ରମାଣ ମିଳିଛି । ସେହିପରି ପୁରୀ ଓ ଲିଙ୍ଗରାଜ ମନ୍ଦିରରେ ଖନନ କାର୍ଯ୍ୟ ବେଳେ ଅନେକ ପ୍ରାଚୀନ ମନ୍ଦିର ମୂର୍ତ୍ତି, ଭଗ୍ନାବଶେଷ ଦେଖିବାକୁ ମିଳୁଛି । ନୟାଗଡ଼ ମହାନଦୀର ଅବବାହିକାରେ ମଧ୍ୟ ପ୍ରାଚୀନ ମନ୍ଦିର ଠାବ ହେଉଛି । ଭୁବନେଶ୍ୱର, ପୁରୀ କିମ୍ବା ରାଜ୍ୟର ସବୁ ପ୍ରାନ୍ତରୁ ମିଳିଥିବା ଭଗ୍ନାବଶେଷରୁ ଆମ ସଭ୍ୟତା କେତେ ଜୀବନ୍ତ ଥିଲା ତାହା ପ୍ରମାଣିତ କରୁଛି । ଲୋକସ୍ମୃତି ବିଷୟବସ୍ତୁ ଗୁଡ଼ିକର ଆଜି ବୈଜ୍ଞାନିକ ପ୍ରମାଣ ମିଳୁଛି, ଯାହା ଆମ ସମାଜର ଐତିହାସିକ ସମ୍ପନ୍ନତାକୁ ଦର୍ଶାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।