କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ପ୍ରକାଶ ପାଇଛି ଓଡିଶା ସିଭିଲ୍ ସର୍ଭିସ୍ 2021ର ପରୀକ୍ଷା ଫଳ । ସୁଦେବ କୁମାର ପୃଷ୍ଟି ହୋଇଛନ୍ତି ଓଡିଶା ଟପ୍ପର । ଟପ୍ ଟେନ୍ ଭିତରେ ଅଛନ୍ତି 5 ମହିଳା ଓ 5 ପୁରୁଷ । ତେବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସୁଦେବ କୁମାର ପୃଷ୍ଟିଙ୍କ ସହ ଅନେକ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ଆପଣମାନେ ସମସ୍ତେ ସେବା ମନୋଭାବ ରଖି ସମାଜ ଓ ମାନବତାର କଲ୍ୟାଣ ପାଇଁ କାମ କରିବେ ବୋଲି ମୋର ବିଶ୍ୱାସ । ଏହାସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

164 ମହିଳାଙ୍କ ସହ ମୋଟ 432 ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଚତୁର୍ଥ ସ୍ଥାନ ବୈଶାଖୀ ଲେଙ୍କା, 5ମ ସ୍ଥାନ ହାସଲ କରିଛନ୍ତି ଶ୍ୱେତଲିନା ମାହାନା, 6ଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା । ସପ୍ତମରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମରେ ମୀମାଂସା ସାହୁ ନବମରେ ବିନ୍ଦୁ ବଳୟ ରାଉତରାୟ 10ମରେ ସୌମ୍ୟରଞ୍ଜନ ମହାପାତ୍ର ଅଛନ୍ତି ।  

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ ନିମନ୍ତେ ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଚଳିତ ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀମାନେ htpp://opsc.gov.in କୁ ଯାଇ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।