ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଦାୟିତ୍ୱ ନେବାପରେ ଏହା ହେଉଛି ଉଭୟଙ୍କର ପ୍ରଥମ ଓଡିଶା ଗସ୍ତ । ଉଭୟ କେନ୍ଦ୍ରମନ୍ତ୍ରୀ ଅଠରନଳାଠାରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଉଭୟଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ପ୍ରମୁଖ ରହିଥିଲେ ।
ପରେ ଉଭୟ ବଡ଼ କାରକେଡ ଶୋଭାଯାତ୍ରାରେ ଯାଇ ସିଂହଦ୍ୱାର ପହଞ୍ଚିଥିଲେ । ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତ ମଧୁସୁଦନ ସିଂହାରୀ ଉଭୟଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ପରେ ଉଭୟ କେନ୍ଦ୍ରମନ୍ତ୍ରୀ ଏକ ବଡ ପ୍ରଦୀପ ପ୍ରଜ୍ୱଳନ କରି ପତିତପାବନ ଦର୍ଶନ କରିଥିଲେ ।
ଅରୁଣସ୍ତମ୍ଭ ଚକଡାରେ ଉଭୟ ନିଉଛାଳି ହୋଇ ମୁଣ୍ଡିଆ ମାରିଥିବା ଦେଖିବାକୁ ମିଳିଥିଲା । ନିୟମ ମାନି ଦୁଇ କେନ୍ଦ୍ରମନ୍ତ୍ରୀ ଅରୁଣ ସ୍ତମ୍ଭରୁ ହିଁ ଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ‘ଜୁଲାଇ ୭ରେ କେନ୍ଦ୍ର ସରକାର ବିଭାଗୀୟ ଅଦଳବଦଳ କରିବା ବେଳେ ୩ ଜଣଙ୍କୁ ମନ୍ତ୍ରୀପଦ ମିଳିଛି । ବୈଷ୍ଣବ ବାବୁଙ୍କୁ ରେଳ ମନ୍ତ୍ରାଳୟ, ବିଶ୍ବେଶ୍ବର ବାବୁଙ୍କୁ ଆଦିବାସୀ ବିଭାଗ ଏବଂ ମତେ ଶିକ୍ଷା ବିଭାଗ ମିଳିଥିବାରୁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲୁ । ‘

Comments (0)
Add Comment