ପୁରୀ : ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି । ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ମହାରାଜ କହିଛନ୍ତି। ଜୁଲାଇ ୬ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି ।
ଆଜି ରତ୍ନଭଣ୍ଡାର କାର୍ଯ୍ୟ ଯାଞ୍ଚ ପାଇଁ ଶ୍ରୀମନ୍ଦିର ଯାଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସାଙ୍ଗରେ ଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ , ଉନ୍ନୟନ ପ୍ରଶାସକ ଏବଂ ନୀତି ପ୍ରଶାସକ । ରତ୍ନଭଣ୍ଡାର ମରାମତି କାମ କେତେ ଅଗ୍ରସର ହେଲାଣି ସେନେଇ ସମୀକ୍ଷା କରିଛନ୍ତି । ରଥଯାତ୍ରା ପରଦିନଠାରୁ ରତ୍ନଭଣ୍ଡାରର ଆନୁସଙ୍ଗିକ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୦ ଘଣ୍ଟାର କାର୍ଯ୍ୟ ବାକି ରହିଥିଲା ବୋଲି ପୂର୍ବରୁ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ।
ମହାପ୍ରଭୁଙ୍କ କୃପାରୁ ଐତିହାସିକ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ପୂର୍ଣ୍ଣ ହେବାକୁ ଯାଉଛି ବୋଲି କହିଛନ୍ତି ଗଜପତି । ଏହା ପରେ ରତ୍ନଭଣ୍ଡାର ପୁନରୁଦ୍ଧାର କାମ ଆରମ୍ଭ ହେବ । ପ୍ରାୟ ୬୦୦ ପଥର ସ୍ଥାନାନ୍ତର କରାଯାଇଛି । ସେହିପରି ରତ୍ନ ଅଳଙ୍କାର ଗଣତି ଉପରେ ଗଜପତି ମହାରାଜା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଗଣତିମଣତି ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ କମିଟିର ପରାମର୍ଶ କ୍ରମେ ଗଣତି କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ଗଜପତି କହିଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଭିତର ଭଣ୍ଡାରର ଚଟାଣ କାମ ଶେଷ ହୋଇଥିବାବେଳେ ଫିନିସିଂ କରାଯାଉଛି । ପ୍ରାୟ ୯ ଟି ଷ୍ଟିଲ୍ ବିମ୍ ଲାଗିଛି । ବାହାର ଭଣ୍ଡାର ପଥର ବଦଳା କାମ ବାକି ଥିବାବେଳେ ତାହା ଦୁଇ ଦିନ ମଧ୍ୟରେ ସମାପ୍ତ ହେବାର ସମ୍ଭାବନା ରହିଛି ।
ରତ୍ନଭଣ୍ଡାର ମରାମତି କାମ ମାର୍ଚ୍ଚ ଶେଷ ଆଡ଼କୁ ସମାପ୍ତ ହେବାର ଥିଲା । ମାତ୍ର ମହାପ୍ରଭୁ ବିଭିନ୍ନ ନୀତିକାନ୍ତି ପାଇଁ ମରାମତି କାର୍ଯ୍ୟ ବାରମ୍ବାର ସ୍ଥଗିତ ରହିଥିଲା । ଫଳରେ ନିର୍ଦ୍ଦାରିତ ସମୟରେ ମରାମତି ପୂର୍ଣ୍ଣ ହୋଇ ପାରିନଥିଲା । ସେହିପରି ରଥଯାତ୍ରା ପାଇଁ ମଧ୍ୟ କାମ ସ୍ଥଗିତ ରହିଥିବା । ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ଲାଗିବା ପରେ ପୁନର୍ବାର ମରାମତି କାମ ଆରମ୍ଭ ହୋଇଥିଲା ।