ନଭେମ୍ବର ୩୦ ରୁ ଆରମ୍ଭ ହେବ ୫ ଦିନିଆ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଶିଳ୍ପ ମହାକୁମ୍ଭର ତୃତୀୟ ସଂସ୍କରଣ I ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି ବ୍ୟବସାୟିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଥରେ ଯୋଗଦେବାକୁ ଆସୁଛନ୍ତି ଦେଶର ବଛା ବଛା ୧୦୦ ରୁ ଅଧିକ ଶିଳ୍ପପତି I

ସେମାନଙ୍କ ହୋଟେଲରେ ରହିବା ଠାରୁ ଆରମ୍ଭ କରି ମେକ ଇନ୍‌ ଓଡ଼ିଶାରେ ଯୋଗ ଦେବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨୧୩ଜଣ ପୋଲିସ ଅଧିକାରୀ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ପୂର୍ବରୁ ବିଦେଶ ସହ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ରୋଡ ସୋର ଆୟୋଜନ କରି ରାଜ୍ୟ ସରକାର ଉଦ୍ୟୋଗପତି ମାନଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିଛନ୍ତି।

ରାଜ୍ୟକୁ ସ୍ୱାବଲମ୍ବୀ କରିବା ଏବଂ ରାଜ୍ୟକୁ ସମୃଦ୍ଧ କରିବା ଦିଗରେ ଏହି ପଦକ୍ଷେପ ନିଆଯାଉଛି। ଭାଗ ନେବାକୁ ପ୍ରାୟ ୧୧ ହଜାର ୬ ଶହ ପଞ୍ଜିକରଣ ହୋଇଛି । ସରକାରଙ୍କ ୨୨ ଟି ବିଭାଗର ସହଯୋଗରେ ମେକ ଇନ ଓଡ଼ିଶା ମହାକୁମ୍ଭର ଆୟୋଜନ କରାଯାଇଛି । ଏଥିରେ ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଏଲ୍. ଏନ୍. ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସସ ଲିମିଟେଡ଼ ଚେୟାରମ୍ୟାନ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଚେୟାରମ୍ୟାନ୍ ସାଜନ ଜିନ୍ଦଲ, ଜେଏସପିଏଲ୍ ଚେୟାରମ୍ୟାନ ନବୀନ ଜିନ୍ଦଲ, ଟାଟା ଷ୍ଟିଲ୍ ସିଇଓ ତଥା ଏମ୍ଡି ଟି ଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବେ । ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

ଏହି କନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ୧୨୪ ଜଣ ବକ୍ତା ରହିଛନ୍ତି । ଏହାପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜିତ ହୋଇସାରିଛି। ତେବେ ୨୦୧୬ରେ ହୋଇଥିବା କନକ୍ଲେଭରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା। ସେଥିରୁ ୩୫ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି । ୨୦୧୮ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ସେଥିରୁ ୪୦ ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ମହାମାରୀ ମଧ୍ୟରେ ମଧ୍ୟ ୩ ଲକ୍ଷ କୋଟି ଟଙ୍କା ଇଣ୍ଟେଣ୍ଟ ଆସିଥିଲା । ୨୦୨୮ ସୁଦ୍ଧା ଓଡ଼ିଶା ଷ୍ଟିଲ ଏବଂ ଆଲୁମିନିୟମ ଉତ୍ପାଦନରେ ପ୍ରଥମ ହେବ । ଖଣି, ପାଣି, ଜମି ଏବଂ ପୋର୍ଟ ଏଠି ଥିବାରୁ ଇଣ୍ଡଷ୍ଟ୍ରି ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯୁବପିଢ଼ିଙ୍କୁ ଆଖି ଆଗରେ ରଖି ଏହି ସମ୍ମିଳନୀ କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।