ତାଲିବାନ କାବୁଲ ବିମାନ ବନ୍ଦର କୁ ଅକ୍ତିଆର କରିବା ନିଶ୍ଚିତ

ନିର୍ଦ୍ଧାରିତ ସମୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା କାବୁଲ ଛାଡ଼ିବା ନେଇ ତାଲିବାନ ପ୍ରାୟ ନିଶ୍ଚିତ ହେଇଗଲାଣି I ତେଣୁ ଏବେ ଧୀରେ ଧୀରେ କାବୁଲ ବିମାନବନ୍ଦରକୁ ନିଜ କବ୍‌ଜାକୁ ନେଉଛି ତାଲିବାନ। କାବୁଲ ବିମାନବନ୍ଦରର ଚାରିପଟକୁ ତାଲିବାନ୍ ସିଲ୍ କରୁଛି। ଏବେ ବିମାନବନ୍ଦରରେ ଥିବା କିଛି ଅଂଶକୁ ଏବେ ତାଲିବାନ କବ୍‌ଜା କରିନେଇଛି। ଏୟାରପୋର୍ଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି। ଏହାପରେ ସମ୍ପୂର୍ଣ୍ଣ ଭାବେ କାବୁଲ ବିମାନବନ୍ଦରକୁ ଯେପରି ନିଜ ଅଧିୀନକୁ ନିଆଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ତାଲିବାନ।
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ପରିମାଣର ତାଲିବାନୀ ଏବେ କାବୁଲର ବିଭିନ୍ନ ରାସ୍ତାରେ ପଇନ୍ତରା ମାରୁଛନ୍ତି। ତାଲିବାନର ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି, ବିମାନବନ୍ଦର ଭିତରେ ଥିବା କିଛି ଅଂଶ ଉପରେ କବ୍‌ଜା କରାଯାଇଛି। ଆମେରିକା ସେନା ବିମାନବନ୍ଦର ଛାଡିବା ପରେ,ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି।
ଦୁଇ ଦିନ ପୂର୍ବେ ଆତ୍ମଘାତୀ ଆକ୍ରମଣ ପରେ ବହୁ ସଂଖ୍ୟାରେ ଲୋକ ଏକାଠି ନହେବା ପାଇଁ ତାଲିବାନ ଶନିବାର କାବୁଲ ବିମାନବନ୍ଦର ଚାରିପାଖରେ ଅତିରିକ୍ତ ବାହିନୀ ମୁତୟନ କରିଥିଲା।
ଅପରପକ୍ଷେ ନିଜ ସୈନ୍ୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନୀତ କରିଛି ଆମେରିକା। ଦୁଇ ଦିନ ଭିତରେ ସମସ୍ତ ନାଗରିକ ଓ ସୈନ୍ୟ ଙ୍କୁ ଫେରାଇ ଅଣାଯିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ସୂଚନା ଦେଇଛନ୍ତି। ସେହିପରି ୟୁକେ ମଧ୍ୟ ନିଜର ଉଦ୍ଧାର କାର୍ଯ୍ୟକୁ ସାରିଛି। ସମସ୍ତ ନାଗରିକ ଓ ଫୋର୍ସକୁ କାବୁଲରୁ ନେଇ ଯାଇଥିବା ସୂଚନା ଦିଆଯାଇଛି।
ସେପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୨୪ରୁ ୩୬ ଘଣ୍ଟା ଭିତରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆମେରିକା ସୈନ୍ୟ କମାଣ୍ଡର୍ସ ପକ୍ଷରୁ ଏଭଳି ଆଶଙ୍କା କରାଯାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଗତ ଗୁରୁବାର ଦିନ ହୋଇଥିବା ବୋମା ବିସ୍ଫୋରଣ ର ପ୍ରତିଶୋଧ ଆମେରିକା ପକ୍ଷ ରୁ ଶନିବାର ଦିନ ଡ୍ରୋନ୍ ଆକ୍ରମଣ କରି ନେଇଛି । ଘଟି ଯାଇଥିବା ବୋମା ବିସ୍ଫୋରଣରେ ଆଫଗାନ ନାଗରିକଙ୍କ ସହିତ ଆମେରିକା ର ବହୁ ସୈନ୍ୟ ମୃତାହତ ହୋଇଥିଲେ Iତେଣୁ ବିମାନବନ୍ଦର ଅଞ୍ଚଳ ଶୀଘ୍ର ଖାଲି କରିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି ।

Comments (0)
Add Comment