ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଲ’ ଅଫିସରଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର୍ ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ।

ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲ ମାନେ ଦୈନିକ ଦେୟ ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ସେହିଭଳି ରିଟେନର୍ ଫି’ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲ ମାନେ ପୂର୍ବରୁ ଦୈନିକ ଦେୟ ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ରିଟେନର୍ ଫି’ ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ ।

ଅନ୍ୟପଟେ ୮୫ ଜଣ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର୍ ମାନେ ପୂର୍ବରୁ ଦୈନିକ ଫି’ ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ରିଟେନର୍ ଫି’ ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୨୯ଜଣ ସରକାରୀ ଆବେଦନକାରୀ ଏବଂ ୧୧୩ ଜଣ ସହକାରୀ ସରକାରୀ ଆବେଦନକାରୀ ପୂର୍ବରୁ ରିଟେନର୍ ଫି’ ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ।