ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ବର୍ଦ୍ଧିତ ତାପମାତ୍ରା ଯୋଗୁ ଅସହ୍ୟ ଗରମ ଅନୁଭୂତ ହେଉଥିଲା। ମାତ୍ର ୨ ଦିନ ହେବ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ଆଗାମୀ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ଆକଳନ କରିଛି ପାଣିପାଗ ବିଭାଗ। କିନ୍ତୁ ୧୪ରୁ ତାପମାତ୍ରା ପୁଣି ଥରେ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି। ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ସହ ସ୍ୱାଭାବିକ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ବିଭାଗ। ଉପକୂଳରୁ ଆଭ୍ୟନ୍ତରୀଣ ୩୮ ଡିଗ୍ରୀ ଭିତରେ ରହିବ ତାପମାତ୍ରା। ୫ ଦିନ ପରେ ପୁଣି ବଢିବ ପାରଦର ସ୍ତର ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ପୁଣି ପ୍ରଚଣ୍ଡ ଗରମ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ବିଭିନ୍ନ ସହରରେ ତାପମାତ୍ରା ୩୮.୦୦ ଡିଗ୍ରୀ ପାଖାପାଖି ରହୁଥିବାବେଳେ ୫ ଦିନ ପରେ ଏହା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗାମୀ ୪ ରୁ ୫ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ସହ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୦୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ୧୩.୦୦ ଡିଗ୍ରୀ ଫୁଲବାଣୀରେ ରେକର୍ଡ ହୋଇଛି। ଭୁବନେଶ୍ୱର ସର୍ବାଧିକ ୩୫ .୪ ଡିଗ୍ରୀ ଓ କଟକରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ଲାଗି ସ୍ୱତନ୍ତ୍ର ରିଲିଫ୍ କମିସନର (ଏସଆରସି) ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ବିପଦରେ ଥିବା ୬ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଅନ୍ତର୍ଭୁକ୍ତ। ଏସବୁ ଜିଲ୍ଲାରେ ତାପମାତ୍ରା ରବିବାର ୩୭ ଡିଗ୍ରି ସେଲସିୟସ୍ ଏବଂ ତା’ଠାରୁ ଅଧିକ ପହଞ୍ଚିସାରିଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ନିକଟରେ ସତର୍କତା ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସିଙ୍କ ପରାମର୍ଶରେ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଗରମ ଅଧିକାଂଶ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ତେବେ ଏହା ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ସମେତ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ ସୂଚନା ଦିଆଯାଇଛି। ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି, ବିଶେଷକରି ଅପରାହ୍ନରେ ବାହାରକୁ ଯିବାକୁ କୁହାଯାଇଛି।