୨୦୨୩ରେ ସ୍ମାର୍ଟଫୋନ୍ ମାର୍କେଟ ମାନ୍ଦା ରହିବ

ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱରେ ସ୍ମାର୍ଟଫୋନ୍ ମାର୍କେଟ ମାନ୍ଦା ରହିବ ବୋଲି ଏକ ସର୍ଭେରୁ ଜଣାପଡିଛି । କାଉଣ୍ଟରପଏଣ୍ଟ ରିସର୍ଚ୍ଚ ସଂସ୍ଥା ତରଫରୁ କରାଯାଇଥିବା ଏହି ସର୍ଭେ ଅନୁଯାୟୀ ୨୦୨୩ରେ ସମଗ୍ର ବିଶ୍ୱରେ ସ୍ମାର୍ଟଫୋନ୍ ବିକ୍ରି ମାତ୍ର ୨ ପ୍ରତିଶତ ବୃଦ୍ଧି ପାଇବ । ୨୦୨୨ କ୍ୟାଲେଣ୍ଡର ବର୍ଷ ଶେଷ ହେବାକୁ ଯାଉଥିବାବେଳେ ସ୍ମାର୍ଟଫୋନ୍ ମାର୍କେଟ ଅପେକ୍ଷାକୃତ ମାନ୍ଦା ରହିଥିବା କୁହାଯାଇଛି । ମୁଦ୍ରାସ୍ଫୀତି, ବ୍ୟାଙ୍କ ସୁଧହାର ବୃଦ୍ଧି, ଚୀନ୍‌ର ମାନ୍ଦା ଅର୍ଥନୀତି, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ, ୟୁରୋପରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏବଂ ଚୀନ୍‌-ଆମେରିକା ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ଭଳି କାରଣ ଯୋଗୁଁ ୨୦୨୩ରେ ସ୍ମାର୍ଟଫୋନ୍ ମାର୍କେଟ ଆଶାନୁରୂପ ବ୍ୟବସାୟ କରିପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ଏହାବ୍ୟତୀତ ଅଧିକାଂଶ ବିକାଶଶୀଳ ରାଷ୍ଟ୍ରରେ ୫ଜି ଇଣ୍ଟରନେଟ୍ ସେବାର ଶୁଭାରମ୍ଭ କରାଯାଉଥିବାବେଳେ ଏହାକୁ ସପୋର୍ଟ କରିବା ଭଳି ସ୍ମାର୍ଟଫୋନ୍‌ର ଚାହିଦା ଏତେଟା ଉତ୍ସାହଜନକ ହେବ ନାହିଁ ବୋଲି କୁହାଯାଇଛି ।