ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ! ପୁଣି ଗର୍ଭଗୃହର ଭିଡିଓ ହେଲା ଭାଇରାଲ

ଭୁବନେଶ୍ବର : ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ । ବୃନ୍ଦାବନର ଜଣେ ଭକ୍ତ ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ ବୁକରେ ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଛାଡିଛନ୍ତି l ମନ୍ଦିର ଭିତର ବେଢା ଓ ଗର୍ଭଗୃହର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ବାରମ୍ବାର ଏପରି ଘଟଣା ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି । ପ୍ରକାଶଥାଉକି, ଶ୍ରୀ ମନ୍ଦିର ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କ୍ଷେତ୍ରରେ ସ୍ମାର୍ଟ ଫୋନ୍ ପ୍ରବେଶ କ୍ଷେତ୍ରରେ କଟକଣା ଜାରି ହୋଇଥିଲା । ଏଥିପାଇଁ ମନ୍ଦିର ବାହାରେ ମୋବାଇଲ ଷ୍ଟାଣ୍ଡ ମଧ୍ୟ କରାଯାଇଛି । ଯିଏ ନିୟମଉଲ୍ଲଂଘନ କରିବ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ୧ହଜାର ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଥିଲା । ମୋବାଇଲ୍ ଯାଞ୍ଚ ପାଇଁ ମାଳ ମାଳ ପୋଲିସ ଶ୍ରୀମନ୍ଦିର ଚାରିଦ୍ଵାରରେ ଥିବା ବେଳେ ମୋବାଇଲ କିଭଳି ଭିତରକୁ ଗଲା ସେ ନେଇ ପ୍ରଶ୍ନ ଉଠିଛି । ଡ୍ୟୁଟିରେ ଥିବା ପୋଲିସମାନେ ସଠିକ୍ ଡ୍ୟୁଟି କରୁନଥିବା ନେଇ ଭକ୍ତମାନେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଥିବା ଯୁବକ କାହା ସହିତ ପ୍ରବେଶ କଲେ ଏବଂ ତାଙ୍କୁ ଜାଞ୍ଚ କରଯାଇଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନାଥାଉକି, ଶ୍ରୀମନ୍ଦିରର ଭିତର ପାର୍ଶ୍ବର ଫଟୋ ଭାଇରାଲ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ଭିତର ପାଖର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି ।