ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଯାତ୍ରା ପାଇଁ ଚଳଚଞ୍ଚଳ

ରଥ ଯାତ୍ରାକୁ ଆଉ ମାତ୍ର ବାକି ଅଛି ହାତ ଗଣତି ଦିନ କେଇଟା। କରୋନା ଯୋଗୁ ଦୁଇ ବର୍ଷ ହେଲାଣି ଭକ୍ତମାନେ କାଳିଆକୁ ରଥରେ ସିଧାସଳଖ ଦେଖିପାରିନାହାନ୍ତି। ଏଣୁ ଏଥରକ ରଥ ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଓ ଆଗ୍ରହ। କାଳିଆ ପାଇଁ ସବୁଠି ଏବେ ଆଧ୍ୟାତ୍ମିକ ପରିବେଶ। କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ମିଳନରେ ପ୍ରତିବନ୍ଧକ ସାଜିଥିବା ବେଳେ ଚଳିତ ବର୍ଷ ପୁଣି ଥରେ ହେବ ସେହି ଭକ୍ତ ଓ ଭଗବାନର ମହାମିଳନ। ଏଥିପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମହାପ୍ରଭୁ ବିଜେଙ୍କ ରଥଯାତ୍ରା ପାଇଁ ହୋଇଉଠିଛି ବେଶ୍ ଚଳଚଞ୍ଚଳ। ରଥ ମହାରଣାଠାରୁ ଆରମ୍ଭ କରି ମୂର୍ତ୍ତି କାର ଯାଏଁ ସମସ୍ତେ କାର୍ଯ୍ୟରେ ନିମଗ୍ନ।

ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ପ୍ରସିଦ୍ଧ ବାରିପଦା ରଥଯାତ୍ରାକୁ ଆଉ ଦିନ କେଇଟା ବାକି। ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଥିବା ବେଳେ ରଥ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପରମ୍ପରା ମୁତାବକ, ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଧୀରେ ଧୀରେ ଆଗେଇ ଚାଲିଛି। ୩ ଟି ରଥର ପୋଟଳ ବେଢା, ଜଳନ୍ଧର ଏବଂ ଜୁପାଲାଗି ହୋଇଥିବା ବେଳେ ଖୁବ ଶୀଘ୍ର ଋଷି ପଟା, ମୋତିବାରିଣି କାର୍ଯ୍ୟ ସମାପନ ହେବ ବୋଲି କହିଛନ୍ତି ରଥ ମହାପାତ୍ର।