ନୂଆଦିଲ୍ଲୀ : ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରୁ ହିଁ କେନ୍ଦ୍ର ଏବଂ ତାମିଲନାଡୁ ମଧ୍ୟରେ ଚାଲିଥିବା ଭାଷା ବିବାଦକୁ ନେଇ ଲୋକସଭାରେ ବେଶ୍ ଉଷ୍ମ ବାତାବରଣ ଦେଖିବାକୁ ମିଳିଛି। ବିଶେଷକରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ଡିଏମ୍କେ ସଦସ୍ୟମାନେ ବିରୋଧ କରିବା ପରେ ଲୋକସଭାରେ ଉତ୍ତେଜନା ବୃଦ୍ଧି ପାଇଥିଲା। ବିଭ୍ରାଟ ଯୋଗୁଁ ଲୋକସଭାକୁ ପ୍ରଥମେ ୩୦ ମିନିଟ୍ ପାଇଁ ଏବଂ ପରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରେ, ଲୋକସଭାରେ ଲାଡିଂ ବିଲ୍, ୨୦୨୪ ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ, ରାଜ୍ୟସଭାରେ ରେଳବାଇ (ସଂଶୋଧନ) ବିଲ୍, ୨୦୨୫ ଉପରେ ଆଲୋଚନା ହୋଇଥିଲା ଏହାକୁ ଗୃହୀତ ମଧ୍ୟ କରାଯାଇଛି। ରାଜ୍ୟସଭାରେ ମଧ୍ୟ ବିରୋଧୀ ହୋହଲ୍ଲା କରିବା ଦେଖିବାକୁ ମିଳିଥିଲା। ତେବେ ଉଭୟ ଗୃହକୁ ଆସନ୍ତାକାଲି ୧୧ ଯାଏ ମୁଲତବୀ ଘୋଷଣା କରାଯାଇଛି। ଫେବୃଆରୀ ୧୩ରେ ସଂସଦର ବଜେଟ ଅଧିବେଶନର ଅପଡେଟ୍ ଚଳିତ ବର୍ଷ ସଂସଦର ବଜେଟ ଅଧିବେଶନର ପ୍ରଥମ ଭାଗ ଫେବୃଆରୀ ୧୩ରେ ଶେଷ ହୋଇଥିଲା। ଏହାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଥିବା ବେଳେ ଏହା ଏପ୍ରିଲ ୪ ଯାଏ ଚାଲିବ। ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ୱାକଫ୍ ସଂଶୋଧନ ବିଧେୟକ ଆଗତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ମଣିପୁର ହିଂସା, ଆମେରିକା ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ବିଫଳତା, ନକଲି ଭୋଟର ଫଟୋ ପରିଚୟପତ୍ର (ଇପିଆଇସି), ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ, ଟ୍ରମ୍ପ୍ ପ୍ରଶାସନର ପାରସ୍ପରିକ ଟିକସର ମୁକାବିଲା ଦିଗରେ ଭାରତର ବିଫଳତା ଆଦି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଅନ୍ୟପଟେ ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ସଂସଦର ଅନୁମୋଦନ ନିମନ୍ତେ ସରକାର ପ୍ରସ୍ତାବ ଆଗତ କରିବେ। ସେହିପରି ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏସବୁ ମଧ୍ୟରେ ଚଳିତ ଆର୍ôଥକ ବର୍ଷରେ ଅତିରିକ୍ତ ୫୧ ହଜାର ୪୬୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଆଜି ସଂସଦର ଅନୁମୋଦନ ଲୋଡ଼ିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଅତିରିକ୍ତ ଅନୁଦାନ ଦାବିର ଦ୍ୱିତୀୟ ବ୍ୟାଚ୍ ଉପସ୍ଥାପନ କରିଛନ୍ତି। ସରକାର ଚାହୁଁଥିବା ଅତିରିକ୍ତ ବ୍ୟୟ ମଧ୍ୟରେ ସାର ସବସିଡି ବାବଦରେ ୧୨ ହଜାର କୋଟି ଟଙ୍କା ଏବଂ ୟୁନିଫାଏଡ୍ ପେନସନ୍ ଯୋଜନା ସମେତ ସରକାରୀ କର୍ମଚାରୀଙ୍କ ପେନସନ୍ ବାବଦରେ ୧୩ ହଜାର ୪୪୯ କୋଟି ଟଙ୍କା ରହିଛି। ମୋଟ ଖର୍ଚ୍ଚ ମଧ୍ୟରେ ୮ ହଜାର ୪୭୬ କୋଟି ଟଙ୍କାର ପ୍ରତିରକ୍ଷା ପେନସନ ଏବଂ ଦୂରସଂଚାର ବିଭାଗ ପାଇଁ ୫ ହଜାର ୩୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମ୍ବଳ ବ୍ୟବଧାନକୁ ପୂରଣ କରିବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ରୀୟ ସହାୟତା ଅଧୀନରେ ଅତିରିକ୍ତ ଖର୍ଚ୍ଚ ପୂରଣ କରିବା ପାଇଁ ଜମ୍ମୁ-କାଶ୍ମୀର ପାଇଁ ୩ ହଜାର ୭୨୨ କୋଟିରୁ ଅଧିକ ଟଙ୍କା ମଗାଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅତିରିକ୍ତ ବ୍ୟୟ ବରାଦ ପାଇଁ ୧ ହଜାର କୋଟି ଟଙ୍କା ମଗାଯାଇଛି।