ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହୋଟେଲରେ ରବିବାର ଠାରୁ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକ ଆରମ୍ଭ ହେଉଛି I ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ଗମ୍ଭୀର ସମସ୍ୟା ଉପରେ ବିଚାରବିମର୍ଶ କରିବା ଲାଗି ଏହି ବୈଠକ ଏକ ମଞ୍ଚ ଯୋଗାଇ ଦେବ। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡି।
ବୈଠକରେ ୪ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ। ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃ ପ୍ରତିଷ୍ଠା, ଦୀର୍ଘ ସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଏଇତିହ୍ୟର ଉପଯୋଗ, ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରଯୁକ୍ତିର ଉପଯୋଗ। ଆଜି ସନ୍ଧ୍ୟାରେ ପୁରୀରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆର୍ଟ ଦେଖିବେ ପ୍ରତିନିଧି ଏବଂ ମନ୍ତ୍ରୀ।
ଆସନ୍ତାକାଲି ସନ୍ଧ୍ୟାରେ “ସସଷ୍ଟାଇନ୍ : ଦି କ୍ରାଫ୍ଟ ଇଡିଅମ୍” ଶୀର୍ଷକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଜି. କିଶନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିନିଧି ମାନଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସୁଯୋଗ ମିଳିବ। ବିଦେଶରୁ ଆସିଥିବା ଅତିଥିମାନେ ଓଡିଶୀ, ଗୋଟିପୁଅ ଏବଂ ସମ୍ବଲପୁରୀର ପ୍ରତ୍ୟକ୍ଷ ଅନୁଭୂତିର ଲାଭ ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।