ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଦ୍ୱିତୀୟ କିସ୍ତିରେ ଏକାବେଳେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଯିବ। ବର୍ତ୍ତମାନ ସୁଦ୍ଧା ମୋଟ୍ ୩ଟି କିସ୍ତିରେ ଏହି ଯୋଜନାରେ ୮୦ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ଜାଣିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ୭୫ ପ୍ରତିଶତ ମହିଳା ସୁଭଦ୍ରା ଟଙ୍କା ଦ୍ୱାରା ଛୋଟ ବ୍ୟବସାୟ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରୀରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ବଣ୍ଡା ହିତାଧିକାରୀ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଡିସେମ୍ୱର ୨୧ ତାରିଖରେ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ଆଗକୁ ଚତୁର୍ଥ ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାକୁ ଲକ୍ଷ ରଖାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି।