ପ୍ରଥମରୁ ଅଷ୍ଟମ ପିଲାଙ୍କ ପାଇଁ ସ୍କୁଲ ବର୍ତ୍ତମାନ ଖୋଲିବ ନାହିଁ

ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ଏବେ ଖୋଲିବ ନାହିଁ ବୋଲି ରାଜ୍ୟ ସରକାର ସଙ୍କେତ ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାଶ କହିଛନ୍ତି ଯେ, ତୃତୀୟ ଲହର ପାଇଁ ସମସ୍ତେ ଆଶଙ୍କାରେ ରହିଛନ୍ତି। ସେଥିପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ଏପର୍ଯ୍ୟନ୍ତ ସମ୍ଭବପର ହୋଇନି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ ଦ୍ୱାରା ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ସରକାର ବି ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଦେଖିବାକୁ ପଡ଼ିବ। ସବୁ ଦିଗକୁ ଅନୁଧ୍ୟାନ କରିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ କେବେ ଖୋଲିବ ତାହା କହିହେବ। ମାତ୍ର ଏପର୍ଯ୍ୟନ୍ତ ବିଭାଗ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ସରକାରଙ୍କ ସମେତ କେତେକ ରାଜ୍ୟ ସରକାର ଦ୍ୱାରା ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବା ପରେ ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ସ୍କୁଲରେ ପାଠପଢ଼ା କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Comments (0)
Add Comment