ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ୩୬ ଦିନରେ ସତ୍ୟାଗ୍ରହ ଏବଂ ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ୧୯ ଦିନରେ ପହଞ୍ଚିଲା ଅନଶନ

ଭୁବନେଶ୍ବର, ୨୪!୯: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୩୬ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଧିଷ୍ଟ କାଳୀନ ଅନଶନ ଆଜି ୧୯ ଦିନରେ ପହଞ୍ଚିଛି। ଶ୍ରୀ କୁମାର ମାନସିକ ଭାବେ ସୁଦୃଢ ଥିଲେ ମଧ୍ୟ ଦିନକୁ ଦିନ ସ୍ବାସ୍ଥ୍ୟ ଅବସ୍ଥା ଅବନତି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ଆଲୋଚନା ରାସ୍ତା ବାହାରିନାହିଁ। ସରକାରଙ୍କ ଏହି ଅହଂକାର ପାଇଁ ରାଜ୍ୟର ସମସ୍ତ ବିରୋଧି ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ସରକାରଙ୍କୁ ଦୃଢ ନିନ୍ଦା କରାଯାଉଛି ।

ଆପଣମାନେ ଜାଣିଥିବେ, ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଭାପତି ଏମ.ଡ଼ି ମନଓ୍ବର ଅଲ୍ଲୀ ଅଗଷ୍ଟ ୨୦ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ସମାପ୍ତି ପରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ସେପ୍ଟେମ୍ବର ୬ ତାରିଖରୁ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଛନ୍ତି। ଶ୍ରୀ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସହଯୋଗୀ ଓ ସମର୍ଥକମାନଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ସତ୍ୟାଗ୍ରହ ଆଜିକୁ ୩୬ ଦିନରେ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ କୌଣସି ପ୍ରତିନିଧି ଆସିନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସଂଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି । ଏନେଇ ଆଜି ପ୍ରେସ ବିବୃତିରେ ଶ୍ରୀ କୁମାର କହିଛନ୍ତି ଯେ, ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ଭୁଲକୁ ସରକାର ସ୍ୱୀକାର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ସ୍ପଷ୍ଟ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଇନାହିଁ। ସମ୍ବିଧାନ ଅନୁଯାୟୀ ଏଭଳି ଘଟଣାରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବା ନିହାତି ଆବଶ୍ୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରନ୍ତୁ ବୋଲି ଶ୍ରୀ କୁମାର ଦାବି କରିଛନ୍ତି ।

ଆଜିର ସତ୍ୟାଗ୍ରହରେ ଡ଼ା. କୁଳମଣି, ରାଜ୍ୟ ମହିଳା ଆବାହକ ମଧୁମିତା ସାମଲ, ଢେଙ୍କାନାଳ ପ୍ରଭାରୀ ଅଶ୍ଵିନୀ ଜେନା, କେନ୍ଦ୍ରାପଡ଼ାର ଅକୃର ପଲାଇ, ଗଞ୍ଜାମ ଯୁବଛାତ୍ର ନେତା ଗଣେଶ ବେହେରା, ସୁରେନ୍ଦ୍ର ମହାରଣା, ମଳୟ ତ୍ରିପାଠୀ, ସଚିଦାନନ୍ଦ ଜେନା, ସ୍ନେହାଂଶୁ ଜେନା, ସୁରେଶ ବିଶ୍ବାଳ, ରମାକାନ୍ତ ରାଉତ, ମଳୟ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।