ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ପ୍ରାର୍ଥୀ,୮ ଜଣ ରୁ ୩ ଜଣ ପାସ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେଉଛି I ତେବେ ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦିତା କରୁଥିବା ୮ ଜଣ ସରପଞ୍ଚ ପ୍ରାର୍ଥୀମାନଙ୍କୁ ଦେବାକୁ ପଡ଼ିଛି ଲିଖିତ ପରୀକ୍ଷା । ଏଥିରୁ ମାତ୍ର ୩ ଜଣ ପାସ କରି ଥିବାବେଳେ ୫ ଜଣ ଙ୍କୁ ଫେଲ ହେବାକୁ ପଡିଛି ଇ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତର ମାଲୁପଡ଼ା ଗାଁରେ। ଗ୍ରାମବାସୀଙ୍କ ବିଭିନ୍ନ ପ୍ରଶ୍ନର ଲିଖିତ ଓ ମୈାଖିକ ଉତ୍ତର ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ । ଆଉ ପରୀକ୍ଷାରେ ଯିଏ ସଫଳ ହେବେ, ତାଙ୍କୁ ମିଳିବ ଭୋଟ । ସ୍କୁଲ ବାରଣ୍ଡାରେ ଚାଲିଥିବା ଏପରି ପରୀକ୍ଷା ରେ ସେମାନଙ୍କୁ ଘେରି ରହିଥିଲେ ଗ୍ରାମବାସୀ । ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ମୋଟ ୯ ଜଣ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟ ଅନ୍ୟ ସବୁ ସ୍ଥାନର ପ୍ରାର୍ଥୀଙ୍କ ଭଳି ଏହି ୯ ପ୍ରାର୍ଥୀ ମଧ୍ୟ ନିଜ ପଞ୍ଚାୟତରେ ଜୋରସୋରରେ ପ୍ରଚାର କରୁଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ମାଲୁପଡ଼ା ଗାଁରେ ସେମାନଙ୍କର ଏଭଳି ପ୍ରଚାର କାମ ଦେଇ ନାହିଁ। ମାଲୁପଡ଼ା ଗ୍ରାମବାସୀ ପ୍ରଥମେ ସେମାନଙ୍କ ଯୋଗ୍ୟତା ପରୀକ୍ଷା କରିବାକୁ ଚାହିଁଥିଲେ। ଆଉ ଏଥିପାଇଁ ଲିଖିତ ପରୀକ୍ଷା ଦେବାକୁ ହେବ ବୋଲି ସମସ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ କହିଥିଲେ। ୯ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଲିଖିତ ପରୀକ୍ଷା ଦେବାକୁ ରାଜି ହୋଇଥିଲେ। କିନ୍ତୁ ଜଣେ ରାଜି ହୋଇ ନଥିଲେ। ଯେଉଁ ୮ ଜଣ ଲିଖିତ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ପାସ୍‌ କରିଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନ ଗୁଡିକ ଥିଲା :
୧. ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ କ’ଣ?
୨. ଯଦି ସରପଞ୍ଚ ଭାବେ ନିର୍ବାଚିତ ହେବେ, ଆଗାମୀ ୫ ବର୍ଷ ପାଇଁ କ’ଣ କରିବେ?
୩. ଆପଣ ଲୋକଙ୍କ ସେବା କରିବାକୁ ଆସିଛନ୍ତି, ତେବେ ପୂର୍ବରୁ କରିଥିବା ୫ଟି ନିଃସ୍ୱାର୍ଥ ସେବା କ’ଣ ?
୪. ଏବେ ଯେମିତି ଘର ଘର ବୁଲି ଭୋଟ ମାଗୁଛନ୍ତି, ନିର୍ବାଚିତ ହେବା ପରେ ଘର ଘର ବୁଲି ସମସ୍ୟା ସମାଧାନ କରିବେ କି?
୫. ଆପଣଙ୍କ ସ୍ୱପ୍ନର ଗ୍ରାମ ପଞ୍ଚାୟତ କିଭଳି ହେବା ଆବଶ୍ୟକ?
୬. ଆପଣଙ୍କ ଗ୍ରାମ ପଞ୍ଚାୟତରେ କେତେ ଗ୍ରାମ, କେତେ ୱାର୍ଡ ଅଛି ଓ ମୋଟ ଜନସଂଖ୍ୟା କେତେ ?
୭. ପୂର୍ବ ସରପଞ୍ଚଙ୍କ ବାବଦରେ ବର୍ଣ୍ଣନା କର ।

ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ହୋଇଥିବା ଏହି ପରୀକ୍ଷାରେ କିନ୍ତୁ ପାସ କରିଛନ୍ତି ମାତ୍ର ୩ ଜଣ ପ୍ରାର୍ଥୀ । ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିର୍ବାଚିତ କରିବାକୁ ଭୋଟ ଦେବେ ମତଦାତା I ତେବେ ସରପଞ୍ଚ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିଥିବା କଥା ଜଣାପଡ଼ିବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।