ବଢିବନି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ଙ୍କ ଅବସର ବୟସସୀମା ! ଆଇନ ମନ୍ତ୍ରଣାଳୟ ନାରାଜ

ନୂଆଦିଲ୍ଲୀ : ଭାରତରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି (ଜଜ୍‌)ଙ୍କ ଅବସର ବୟସସୀମା ବୃଦ୍ଧିକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଆସୁଛି । ତେବେ ସାଂପ୍ରତିକ ସ୍ଥିତିରେ ଏହି ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରାନଯିବା ସପକ୍ଷରେ ମତ ଦେଇଛି କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ଯଥାକ୍ରମେ ୬୨ ଓ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରୁଛନ୍ତିି । ଏହି ବୟସସୀମାକୁ ଯଥାକ୍ରମେ ୬୫ ଓ ୭୦ ବର୍ଷକୁ ବୃଦ୍ଧି କରାଯାଉ ବୋଲି ଦାବି ହୋଇଆସୁଛି । ବିଦେଶରେ ଏହି ବୟସସୀମାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଉଦାହରଣ ଦିଆଯାଉଛି । ତେବେ ଆଇନ ମନ୍ତ୍ରଣାଳୟ ବୟସସୀମା ବୃଦ୍ଧି ସପକ୍ଷରେ ଆଦୌ ମତ ଦେଉନଥିବା ଜଣାପଡିଛି । ଯଦି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସସୀମାକୁ ବୃଦ୍ଧି କରାଯାଏ, ତେବେ ଅପାରଗ ବିଚାରପତିମାନେ ଅଯଥାରେ ସୁବିଧା ହାସଲ କରିବାର ଆଶଙ୍କା ରହିଛି ଏବଂ ଏହା ଦେଖାଦେଖି କେନ୍ଦ୍ର/ରାଜ୍ୟ ସରକାରଙ୍କ ଅଧିନସ୍ଥ ଅନ୍ୟ ବିଭାଗଗୁଡିକ ମଧ୍ୟ ଅବସର ବୟସସୀମା ବୃଦ୍ଧି କରିବାକୁ ଦାବି କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଯାଇଛି । ଏଥିସହିତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଯଥାସମ୍ଭବ ସ୍ୱଚ୍ଛ ଓ ଉତ୍ତରଦାୟୀ କରାଯିବାପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇପାରେ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରାଯିବାର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଚଳିତବର୍ଷ ଜୁଲାଇରେ ସଂସଦକୁ ସ୍ପଷ୍ଟ କରିସାରିଛନ୍ତି । ଅପରପକ୍ଷରେ ଯଦି ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସସୀମାକୁ ବୃଦ୍ଧି କରାଯାଏ, ତେବେ ଦେଶର ଶତାଧିକ ଟ୍ରିବୁନାଲରେ ପ୍ରିଜାଇଡିଂ ଅଫିସର କିମ୍ବା ଜୁଡିସିଆଲ ମେମ୍ବର ପଦ ପୂରଣ କରିବାରେ ଅସୁବିଧା ଉପୁଜିବ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଏହାର କାରଣ ହେଉଛି କେନ୍ଦ୍ର ସରକାର ବିଭିନ୍ନ ଟ୍ରିବ୍ୟୁନାଲରେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ହିଁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ କରିଥାନ୍ତି । ୨୦୧୦ରେ ସମ୍ବିଧାନର ୧୧୪ତମ ସଂଶୋଧନ ଆଇନ ଅନୁଯାୟୀ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୫ ବର୍ଷକୁ ବୃଦ୍ଧି କରିବାକୁ ସଂସଦରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ତେବେ ଆଲୋଚନା ପୂର୍ବରୁ ସଂସଦ ଭଙ୍ଗ ହେବାରୁ ଏହି ପ୍ରସ୍ତାବ ଆଇନରେ ପରିଣତ ହୋଇପାରିନଥିଲା ।