ଆସନ୍ତା ୨୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଫଳାଫଳ

ଭୁବନେଶ୍ୱର: ଯୁକ୍ତ ଦୁଇ (+୨) ରେଜଲ୍ଟ ପ୍ରକାଶନକୁ ନେଇ ଲାଗି ରହିଥିବା ସସପେନ୍ସର ଅନ୍ତ ଘଟିଛି। ଆସନ୍ତା ୨୦ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ  ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ରେଜଲ୍ଟ ପ୍ରକାଶ ପାଇବ। ଏ ବର୍ଷ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ପରୀକ୍ଷା ଶେଷ ହେବାର ୪୦ରୁ ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଇତିମଧ୍ୟରେ ସିବିଏସଇ (CBSE) ଓ ଆଇସିଏସଇ (ICSE) ଭଳି କେନ୍ଦ୍ରୀୟ ବୋର୍ଡଗୁଡ଼ିକର ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବାରୁ, ଓଡ଼ିଶା ବୋର୍ଡର ରେଜଲ୍ଟ ବାହାରିବା ପରେ ରାଜ୍ୟର ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସହଜରେ ସାମିଲ ହେବାର ସୁଯୋଗ ପାଇପାରିବେ।