ବିରୋଧୀଙ୍କ ବିନା ଆଲୋଚନା ସତ୍ୱେ ବିଧାନସଭାରେ ସଂକଳ୍ପ ପାରିତ

ଆଜି ମୌସୁମୀ ଅଧିବେଶନ ର ଶେଷ ଦିନରେ ବିରୋଧୀଙ୍କ ବିନା ଆଲୋଚନା ସତ୍ୱେ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି I ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣର ସୀମା ୫୦ ପ୍ରତିଶତ ଉପରେ ରଖିବା ଦାବି ଦୋହରାଇଛି ବିଜେଡି । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ପରେ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇବେ । ଏହି ସଂକଳ୍ପକୁ ବିରୋଧୀ ବିଜେପି ଓ କଂଗ୍ରେସ ସମାଲୋଚଚନା କରିଛନ୍ତି ।
ପୁଣି ଥରେ ଜାତି କାର୍ଡ ଖେଳିଛି ବିଜେଡି ସରକାର । ଜାତିଭିତିକ ଜନଗଣନା ଓ ସଂରକ୍ଷଣର ସୀମା ୫୦ ପ୍ରତିଶତ ଉପରେ ରଖିବା ଦାବି ଦୋହରାଇଛି । କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ବିଜେଡି ସରକାର ।
ଗତ ୨ ବର୍ଷ ହେଲା ପଛୁଆ ବର୍ଗଙ୍କ ପାଇଁ ସ୍ୱର ଉଠାଉଛନ୍ତି ରାଜ୍ୟ ସରକାର । ପ୍ରଥମେ କ୍ୟାବିନେଟରେ ପଛୁଆ ବର୍ଗଙ୍କ ପାଇଁ ନିଷ୍ପତ୍ତି, ପରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ।ଏ ନେଇ ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦଳ ଦାବି ରଖିଥିବା ବେଳେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ଏହି ପ୍ରସଙ୍ଗ ଉଠାଇ ଥିଲା ।ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରୁ ନଥିବାରୁ ସରକାରଙ୍କୁ ନିଶାନା କରିଛି ବିଜେପି । କଂଗ୍ରେସ ବି ଜାତିଭିତିକ ଜନଗଣନା ସପକ୍ଷରେ ଥିବା ବେଳେ ରାଜ୍ୟରେ ପଛୁଆ ବର୍ଗଙ୍କୁ ଦୀର୍ଘ ଦିନ ହେବ ଅବହେଳା କରାଯାଇଥିବା ଅଭିଯୋଗ କରିଛି ।
ସେପଟେ ଚଳିତ ମୌସୁମୀ ଅଧିବେଶନ ଶେଷ ହୋଇଥିବା ବେଳେ ବିଧାନସଭାରେ ପୌର ଓ ପଂଚାୟତ ସଂଶୋଧନ ବିଲ ପାରିତ ହୋଇଛି । ଏହି ଦୁଇଟି ବିଲ ପାରିତ ହେବା ପରେ ରାଜ୍ୟରେ ପୌର ଓ ପଂଚାୟତ ନିର୍ବାଚନ ନେଇ ବାଟ ଫିଟିଛି । ପଂଚାୟତ ବିଲ ପାସ ହେବା ଦ୍ଵାରା ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଅନୁସଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ ।

Comments (0)
Add Comment