ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଇସ୍ତଫା ସମଗ୍ର ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି

ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁରରେ ଏବେ ହେଭିୱେଟ୍ ଲଢ଼େଇ ଚାଲିଥିବା ବେଳେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଇସ୍ତଫା ସମଗ୍ର ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି । ଡାକ୍ତର ପାଣିଗ୍ରାହୀ ନିଜର ସାଂଗଠନିକ ଦକ୍ଷତା ଓ ତୃଣମୂଳ ସ୍ତରରେ ବିପୁଳ ଜନସମ୍ପର୍କ ଯୋଗୁ ବିଜେଡି କର୍ମୀଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ । କିନ୍ତୁ ଆଜି ତାଙ୍କର ଦଳ ଛାଡ଼ିବା ନିଷ୍ପତ୍ତି ବିଜେଡି ନେତୃତ୍ୱକୁ ଏକ ଶକ୍ତ ଝଟକା ଦେଇଛି । ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ଏବେ ବିପର୍ଯ୍ୟୟମୁହାଁ ବିଜେଡି ସଂଗଠନର ଅସଲ ଛବିକୁ ପଦାରେ ପକାଇଦେଇଛି ।

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏକ ଅଭିଜ୍ଞ ରାଜନୈତିକ ପରିବାରରୁ ଆସିଛନ୍ତି ଏବଂ ରାଜନୀତି କ୍ଷେତ୍ରରେ ତାଙ୍କ ପରିବାରର ଯଥେଷ୍ଟ ପତିଆରା ରହିଆସିଛି । ପ୍ରାକ୍ତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ (ଯେ କି ଡାକ୍ତର ପାଣିଗ୍ରାହୀଙ୍କ ଭାଇ) ଏହି ଅଞ୍ଚଳରେ ଭଲ ପତିଆରା ଥିଲା, ଏପରିକି ଦିବଂଗତ ବିଜେଡି ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ପାଣିଗ୍ରାହୀ ପରିବାର ଦ୍ୱାରା ବେଶ୍ ଅନୁପ୍ରାଣିତ ଥିଲେ । ରାସେଶ୍ୱରୀଙ୍କ ସହିତ ଏକ ବିଶାଳ ପୁରୁଣା କଂଗ୍ରେସ ଭୋଟ ବ୍ୟାଙ୍କ ରହିଛି ଯାହା ବିଜେଡ଼ି ସଙ୍ଗଠନ କୁ ବଳ ଯୋଗାଉଥିଲା। ତେଣୁ ଡାକ୍ତର ପାଣିଗ୍ରାହୀଙ୍କୁ ଟିକେଟ ନ ଦେଇ ସମ୍ବଲପୁର ଅଞ୍ଚଳରେ ବିଜେଡି ନିଜର ସାଂଗଠନିକ ପ୍ରଭାବ ହରାଇବା ସହ ଦଳରେ ଯେ “ମାଙ୍କୁ ସମ୍ମାନ” ମିଳେନାହିଁ, ଏକଥାକୁ ପୁଣିଥରେ ପ୍ରମାଣ କରିଛି । ଏହି ଇସ୍ତଫା ଯୋଗୁ ବିଜେଡି ର ଦଳୀୟ କର୍ମକର୍ତ୍ତାମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି ଯାହାଦ୍ୱାରା ସଂଗଠନ ଆହୁରି ଦୁର୍ବଳ ହୋଇପଡ଼ିବା ନେଇ ସ୍ପଷ୍ଟ ସଙ୍କେତ ମିଳୁଛି ।

ପୂର୍ବରୁ ଆଠମଲ୍ଲିକ ବିଧାୟକ ତଥା ଗଣ୍ଡ ସମ୍ପ୍ରଦାୟ ର ନେତା ଶ୍ରୀ ରମେଶ ସାଏ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । କୁଚିଣ୍ଡାର ବିଧାୟକ ଶ୍ରୀ କିଶୋର ନାୟକଙ୍କୁ ଅଣଦେଖା କରାଯାଇ ନୂଆ ଚେହେରାଙ୍କୁ ଦଳ ତରଫରୁ ଟିକେଟ୍ ଦିଆଯାଇଛି । ଶ୍ରୀ କିଶୋର ନାୟକ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ଟିକେଟ ଦିଆ ନଯିବା ଫଳରେ ବିଜେଡିର ଆଦିବାସୀ ବିରୋଧୀ ଆଭିମୁଖ୍ୟ ପଦାରେ ପଡ଼ିଛି । ମୋଟାମୋଟି ଭାବେ କହିବାକୁ ଗଲେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଆଗମନ ପରେ ବିଜେଡି ଏବେ ବ୍ୟାକ୍-ଫୁଟ୍ କୁ ଆସିସାରିଲାଣି ଏବଂ ଖୋଦ୍ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶଙ୍କ ପାଇଁ ଏହା ଏବେ କାଳ ହେବାକୁ ଯାଉଛି । ଜଣେ ସଂଗଠକ ଓ ନେତା ଭାବେ ପ୍ରଣବ ବିଫଳ ହୋଇଛନ୍ତି ଏବଂ ଧର୍ମେନ୍ଦ୍ରଙ୍କ ବିଚକ୍ଷଣ ରଣକୌଶଳ ରେ ସମ୍ବଲପୁରରେ ବଢ଼ିଚାଲିଥିବା ମୋଦୀ ଲହରୀ ରେ ପ୍ରଣବ ଓ ତାଙ୍କର ପୂରା ଟିମ୍ ଛତ୍ରଭଙ୍ଗ ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା କ୍ରମାଗତ ବଢ଼ିବାରେ ଲାଗିଛି ଏବଂ ତୃଣମୂଳ ସ୍ତରରେ ତାଙ୍କର ପ୍ରଚ୍ଛନ୍ନ ଉପସ୍ଥିତି ଓ ବିଶାଳ ଲୋକସମ୍ପର୍କ ଯୋଗୁ ସମ୍ବଲପୁରର ଭୋଟର ଭାଇଭଉଣୀମାନଙ୍କ ଭିତରେ ଦିନକୁ ଦିନ ଉତ୍ସାହ ବଢ଼ିବାରେ ଲାଗିଛି । ଏବେ ସମଗ୍ର ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଦୀଙ୍କ ଗ୍ୟାରେଣ୍ଟି ର ବ୍ୟାପକ ପ୍ରଭାବ ସାଙ୍ଗକୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତି ବିପୁଳ ସମର୍ଥନ ଦେଖିବାକୁ ମିଳୁଛି ।