ମଦମୁକ୍ତ ହେବ ପଂଚାୟତ ନିର୍ବାଚନ ସର୍ବଦଳୀୟ ବୈଠକରେ ଆସିଲା ପ୍ରସ୍ତାବ

ରାଜ୍ୟରେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ।ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବା ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ୍ ଆଦିତ୍ୟ ପ୍ରସାଦ ପାଢିଙ୍କ ନେତୃତ୍ତ୍ୱରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପସ୍ଥାପିତ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ।ବୈଠକରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଭୋଟ ଦେବା ସମୟରେ ବୃଦ୍ଧି, ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚକୁ ବୃଦ୍ଧି କରିବା ପାଇଁ ଦାବି ରଖିଛନ୍ତି । ନିର୍ବାଚନ କମିଶନ ଏହି ସବୁ ଦାବି ଉପରେ ବିଚାର କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ଆଦିତ୍ୟ ପ୍ରସାଦ ପାଢି ।

ଏହାବାଦ ପୂର୍ବରୁ ଥିବା ନିର୍ବାଚନୀ ଖର୍ଚ ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି।ନକଲି ଭୋଟରଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର କ୍ରମିକ ନମ୍ବର ବ୍ୟବସ୍ଥା ଏଥର ରହିବ। ସେ ଦିଗରେ ବି ଆଜି ଗୁରୁତ୍ୱ ଦିଆ ହୋଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସେହିପରି ନଭେମ୍ବର ୧, ୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ, ସେମାନେ ଭୋଟ ଦେବା ପାଇଁ ଏକ ପ୍ରସ୍ତାଵ ରଖାଯାଇଛି । ଭୋଟ ଗ୍ରହଣର ଅବଧି ପୂର୍ବରୁ ୭ ଟାରୁ ୧୨ଟା ରହିଥିଲା । ତାକୁ ବଢ଼ାଇବା ପାଇଁ ବୈଠକରେ ଆଲୋଚନା ହୋଇଛି।ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇ କହିଛନ୍ତି, ନିର୍ବାଚନୀ ଖର୍ଚ୍ଚ, ଯାନବାହାନ ବ୍ୟବହାର ବାବଦରେ ପ୍ରସ୍ତାବ ଆସିଛି। ସେଣ୍ଟ୍ରାଲ କାଉଣ୍ଟିଂ ହେବାକୁ ଥିବାରୁ ପୁଲିଂ ଅବଧି ବଢ଼ାଇବା ପ୍ରସ୍ତାବ ଆସିଛି। ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଛି। ଆସିଥିବା ପ୍ରସ୍ତାବକୁ ସମୀକ୍ଷା କରାଯାଇ ସୂଚନା ଦିଆଯିବ। ନିର୍ବାଚନ ଖର୍ଚ୍ଚ ବଢ଼ାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।

Comments (0)
Add Comment