ପୁରୀ ରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଓଡିଶା ଗସ୍ତରେ ଆସିଥିବା ଦେଶ ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିଦ ୨୦ ତାରିଖ ରବିବାର ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍‌ଘାଟନ କରିବେ । ରବିବାର ସକାଳ ସାଢ଼େ ଦଶଟା ବେଳେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ମଠ ର ଆରଧ୍ୟା ଦେବତାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପର୍ବରେ ରାଷ୍ଟ୍ରପତି ସାମିଲ ହେବ। ଏହାପରେ ୧୧ଟାରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବାର କାର୍ଯ୍ୟକ୍ରମ ଯୋଗ ଦେବେ। ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ।

ଶରଧାବାଲିରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀର ଆଜି ଅଧିବାସ ଓ ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଚୈତନ୍ୟ ଗୌଡ଼ୀୟ ମଠରେ ଅଧିବାସ ସଭା ହେବ । ମଠର ସଭାପତି ଭକ୍ତି ବିଚାର ବିଷ୍ଣୁ ମହାରାଜଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଦେଶର ବିଭିନ୍ନ ମଠର ଆଚାର୍ଯ୍ୟ ଓ ସନ୍ୟାସୀ ଯୋଗଦେଉଛନ୍ତି । ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ଦିନିଆ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଚୈତନ୍ୟ ମହାପ୍ରଭୁଙ୍କ ଆଧ୍ୟାତ୍ମିକ ବିଚାର ଓ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ୬୦୦ ସାଧୁସନ୍ଥ ଯୋଗଦେଉଛନ୍ତି।

ପରେ ରାଷ୍ଟ୍ରପତି ଶରଧାବାଲିରୁ ପୁରୀ ହେଲିପ୍ୟାଡ୍‌ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ । ୧୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ୱତନ୍ତ୍ର ବିମାନରେ ବିଶାଖାପାଟଣା ଯିବେ ।ଗସ୍ତ ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୨ ଶହ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ସେପଟେ ଗୌଡୀୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସପତ୍ନୀକ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଗର୍ଭଗୃହ ଭିତରେ ଦାରୁବ୍ରହ୍ମଙ୍କୁ ପୂଜାର୍ଚ୍ଚନା କରିବା ସହ ନୀଳଚକ୍ରରେ ମାନସିକ ବାନା ବାନ୍ଧିଛନ୍ତି। ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ପ୍ରଣାମ କରି ସେ ଆଶୀର୍ବାଦ କାମନା କରିଛନ୍ତି। ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିରକୁ ଯାଇ ଦୀପଦାନ କରିବା ସହ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କିଛି ଅର୍ଥ ଦାନ କରିଥିବା ଜଣାପଡିଛି। ଅପରାହ୍ଣ ୫ଟାରୁ ୫ଟା ୫୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ରହିଥିଲେ ରାଷ୍ଟ୍ରପତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ତାଙ୍କୁ ସ୍ବାଗତ କରିବା ସହ ଦାରୁବ୍ରହ୍ମଙ୍କ ଆକର୍ଷଣୀୟ ପଟଚିତ୍ର ଫଟୋ ଉପହାର ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସବିତା ଏବଂ କନ୍ୟା ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି।