ଆଜିଠୁ ସଂସଦରେ ବଜେଟ୍‌ ଅଧିବେଶନ, ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ । ଏହାପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ। ଏହାପରେ ଫେବୃଆରୀ ୧ ତାରିଖରେ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ମଧ୍ୟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ଏହି ଅଧିବେଶନ ବେଶ୍‌ ସରଗରମ ହେବ ବୋଲି ଆଶା କରାଯାଉଛି । ବିରୋଧୀ ପେଗାସସ୍‌, ପୂର୍ବ ଲଦାଖରେ ଚୀନର ଅନ୍ରୁବେଶ, କରୋନା ପ୍ରଭାବିତ ପରିବାରବର୍ଗଙ୍କ ପାଇଁ ରିଲିଫ ପ୍ୟାକେଜ, ମହଙ୍ଗା ମାଡ଼, ବେରୋଜଗାର, କୃଷକ ସମ୍ପର୍କିତ ପ୍ରସଙ୍ଗ ଇତ୍ୟାଦିକୁ ନେଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି ।
କରୋନା ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନ ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହେବ । ବଜେଟ ଅଧିବେଶନର ପ୍ରଥମ ଦୁଇଦିନରେ କୌଣସି ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବନାହିଁ । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ବୁଧବାରଠାରୁ ଆରମ୍ଭ ହେବ । ଲୋକସଭାର ସଚିବାଳୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୪ ଦିନ ସମୟ ରଖାଯାଇଛି । ଏହା ଫେବୃଆରୀ ୨ରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ତାରିଖରେ ଚର୍ଚ୍ଚାର ଉତ୍ତର ରଖିବାର ସମ୍ଭାବନା ରହିଛି ।

ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚଳିତମାସ ୩୧ ତାରିଖରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଏହାପରେ ବିଭିନ୍ନ ବିଭାଗର ବଜେଟ ଆବଣ୍ଟନ ଉପରେ ବିଚାର ପାଇଁ ଅବକାଶ ରହିବ । ବଜେଟର ଦ୍ୱିତୀୟ ପର୍ଯ୍ୟାୟ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି । ୧ ତାରିଖରେ ଲୋକସଭାର କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାସହ ସେହିଦିନ ହିଁ ବଜେଟ ଉପସ୍ଥାପନ ହେବ । ଏହି ଅଧିବେଶନ ସମୟରେ ଲୋକସଭାର ଗୃହ କାର୍ଯ୍ୟ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ବଜେଟ ଅଧିବେଶନ ଯେଉଁ ସମୟରେ ଅନୁଷ୍ଠିତ ହେଉଛି ସେହି ସମୟରେ ଦେଶର ୫ ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସମସ୍ତ ସ୍ଥିତିର ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।

Comments (0)
Add Comment