ତିନିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ତିନିଦିନିଆ ଓଡ଼ିଶା ଗସ୍ତଶେଷ କରି ଆଜି ଅପରାହ୍ଣରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରାଜଭବନରୁ ବାହାରି ରାଷ୍ଟ୍ରପତିଙ୍କ କାର୍‍କେଡ୍‍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଛନ୍ତି । ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇବାପାଇଁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଭବୁନେଶ୍ୱର ମେୟର, ମୁଖ୍ୟ ଶାସନ ସଚିବ ଓ ପୁଲିସ୍‍ କମିଶନର୍‍ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତର ଶେଷଦିନରେ ଆଜି ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆସ୍ଥିତ ଲାଇଟ୍‍ ହାଉସ୍‍ କମ୍ପେ୍ଲକ୍ସର ଶିଳାନ୍ୟାସ କରିଛନ୍ତି । ପରେ ଖୋର୍ଦ୍ଧା ଜିଲ୍ଲାର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ‘ସକରାତ୍ମକ ପରିବର୍ତ୍ତନର ବର୍ଷ’ ଶୀର୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତୀୟମାନଙ୍କ ଆଧ୍ୟାତ୍ମିକ ବିକାଶ ହୋଇପାରିଲେ ଦେଶ ଖୁବ୍‍ଶୀଘ୍ର ବିଶ୍ୱଗୁରୁରେ ପରିଣତ ହୋଇପାରିବ ।

ସେ କହିଛନ୍ତି, ଭାରତୀୟ ଅର୍ଥନୀତି ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିଭାବେ ଉଭା ହୋଇଥିବାବେଳେ, ନିକଟ ଭବିଷ୍ୟତରେ ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ରାଷ୍ଟ୍ରପତି କହିଛନ୍ତି, କୃତ୍ରିମ ବୁଦ୍ଧିମତା, ସ୍ୱୟଂଚାଳିତ ବ୍ୟବସ୍ଥା ଏବଂ ବୈଷୟିକ ବିକାଶ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରେ । କିନ୍ତୁ ଏହା ପ୍ରକୃତ ଶାନ୍ତି ଦେଇପାରିବ ନାହିଁ । ତେଣୁ ନକାରାତ୍ମକ ମନୋଭାବ ପରିତ୍ୟାଗ କରି ସକାରାତ୍ମକ ମନୋଭାବ ଗ୍ରହଣ କରିପାରିଲେ ତାହା ପ୍ରକୃତ ସୁଖ ପ୍ରଦାନ କରିବ । ସେ କହିଛନ୍ତି, ଯଦି ଜଣେ ବ୍ୟକ୍ତି ନିଜକୁ ବଦଳାଇପାରିବ, ତାହାହେଲେ ଆମ ସମାଜ ମଧ୍ୟ ବଦଳି ପାରିବ । ପ୍ରତ୍ୟେକ ଭାରତୀୟଙ୍କୁ ଆତ୍ମବିଶ୍ଳେଷଣ କରିବା ଲାଗି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି ।