ଭୁବନେଶ୍ୱର:ବାତ୍ୟା ‘ଦାନା’ର ବାହ୍ୟବଳୟ ସ୍ଥଳଭାଗ ଛୁଇଁଛି । ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଧାମରା ଓ ପାରାଦୀପରେ ବର୍ଷା ଆରମ୍ଭ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ଦେଖିବାକୁ ମିଳିଛି । ଧାମରାରେ ବର୍ଷା ସହ ପବନ ହେଉଥିବାବେଳେ ପାରାଦୀପରେ ଆକାଶ ମେଘାଚ୍ଛନ୍ନ ରହିଥିବା ଜଣାଯାଇଛି । କେନ୍ଦ୍ରାପଡ଼ା ଓ ରାଜନଗରରେ ବି ବର୍ଷା ଆରମ୍ଭ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ବାତ୍ୟାଟି ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ, ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି। ବାତ୍ୟାଟି ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।