ଆସିଲା ଅଧ୍ୟାଦେଶ : ୫ ବର୍ଷ ଯାଏ ବୃଦ୍ଧି ହେଲା ସିବିଆଇ ଓ ଇଡି ମୁଖ୍ୟ ଙ୍କ କାର୍ଯ୍ୟକାଳ

ଏଣିକି ୨ ବର୍ଷ ବଦଳରେ ୫ ବର୍ଷ ଯାଏ କାର୍ଯ୍ୟ କରିବେ କେନ୍ଦ୍ରୀୟ ଏଜେନ୍ସିର (‘ସିବିଆଇ’ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’) ମୁଖ୍ୟମାନେ ଏନେଇ ଆଜି କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି। ଅଧ୍ୟାଦେଶ ବଳରେ ହିଁ ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳକୁ ବଢ଼ା ଯାଇଛି। ‌ଏହି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ବର୍ତ୍ତମାନର ନିୟମ ଅନୁଯାୟୀ, ସିବିଆଇ ମୁଖ୍ୟ ଓ ଇଡି ମୁଖ୍ୟ ସର୍ବାଧିକ ୨ ବର୍ଷ ଯାଏ ଏହି ପଦରେ କାମ କରୁଥିଲେ। କେବଳ କିଛି ସର୍ତ୍ତକୁ ଛାଡ଼ି ଦେଲେ ସେମାନଙ୍କୁ ଏହି ପଦରୁ ସରକାର ଚାହିଁଲେ ବି ବିଦା କରିପାରିବେ ନାହିଁ। ସରକାର ଚାହିଁଲେ ଏମାନଙ୍କର କାର୍ଯ୍ୟକାଳକୁ ବୃଦ୍ଧି ମଧ୍ୟ କରିପାରୁଛନ୍ତି।
୧୯୭୭ ପୂର୍ବରୁ ସିବିଆଇ ମୁଖ୍ୟ କେତେ ଦିନ କାର୍ଯ୍ୟ କରିବେ, ସେଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ ହୋଇ ନଥିଲା। ସେହିପରି ସରକାର ଯେତେବେଳେ ଚାହିଁବେ, ତାଙ୍କୁ ପଦରୁ ବିଦା କରିବାର ଅଧିକାର ବି ପାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ବୀନିତ ନାରାୟଣଙ୍କ ମାମଲାରେ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ ବୋଲି କହିଥିଲେ। ଏଥିସହ ସିବିଆଇକୁ ପୂର୍ଣ୍ଣ ସ୍ୱାଧୀନତାର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଦିଲ୍ଲୀ ସ୍ପେଶାଲ ପୁଲିସ୍‌ ଏଷ୍ଟାବ୍ଲିଶମେଣ୍ଟ(ସଂଶୋଧନ) ଅଧ୍ୟାଦେଶ ୨୦୨୧ ବଳରେ କେନ୍ଦ୍ର ସରକାର ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳକୁ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିଛନ୍ତି।
ସେହିପରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ଅଧ୍ୟାଦେଶ) ୨୦୨୧ ବଳରେ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବଢ଼ାଯାଇଛି। ଏହି ୫ ବର୍ଷର ସମୟସୀମା ଶେଷ ହେବା ପରେ ସରକାର ସେମାନଙ୍କ କାର୍ଯ୍ୟକାଳକୁ ବଢ଼ାଇ ପାରିବେ ନାହିଁ। ଆଗାମୀ ଶୀତ ଅଧିବେଶନ ବେଳେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର ସରକାର ଙ୍କ ତରଫରୁ କୁହାଯାଇଛି I

Comments (0)
Add Comment