ଦୁର୍ଘଟଣାର ଖବର ପ୍ରଥମେ ଦେଇଥିଲେ ୩୯ ବର୍ଷୀୟ ଯବାନ ଭେଙ୍କଟେଶ,ପଠାଇଥିଲେ ଲାଇଭ୍ ଲୋକେସନ

ଭୁବନେଶ୍ୱର : ଜୁନ ୨ ତାରିଖ ସନ୍ଧ୍ୟା ଥିଲା ଓଡିଶା ପାଇଁ ଏକ କାଳରାତ୍ରୀ I କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଘଟିଯାଇଥିଲା ଛାତିଥରା ହୃଦୟବିଦାରକ ସିରିଜ ରେଳ ଦୁର୍ଘଟଣା I ବାଲେଶ୍ବରର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍‌ ହୋଇଥିଲା ଧାରଣାଚ୍ୟୁତ I ଏଥିରେ ସହ ସହ ଲୋକଙ୍କ ମୃତ୍ୟୁ ଘଟିବା ସହିତ ହଜାର ହଜାର ହୋଇଛନ୍ତି ଆହତ I ଏବେ ମଧ୍ୟ ମୃତକଙ୍କ ସଂଖ୍ୟା ବଢିବା ନେଇ ରହିଛି ଆଶଙ୍କା I ତେବେ ଏହି ଭୟଙ୍କର ଦୁର୍ଘଟଣା ବିଷୟରେ ‘ଏନ୍‌ଡିଆର୍‌ଏଫ୍‌’ ଯବାନ ଭେଙ୍କଟେସ୍‌ ଏନ୍‌.କେ. ପ୍ରଥମେ ‘ଏନ୍‌ଡିଆର୍‌ଏଫ୍‌’କୁ ସୂଚନା ଓ ‘ଲାଇଭ୍‌ ଲୋକେସନ୍‌’ ପଠାଇଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ‘ଏନ୍‌ଡିଆର୍‌ଏଫ୍‌’ ଯବାନ ଭେଙ୍କଟେସ୍‌ ଏନ୍‌.କେ. କରମଣ୍ଡଳ ଏକ୍ସପ୍ରେସ୍‌ରେ ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିଲେ। ସେ ଥିଲେ ଟ୍ରେନ୍‌ର ତୃତୀୟ ଏ. ସି. କୋଚ୍‌ର ୫୮ ନମ୍ବର ସିଟ୍‌ରେ। ଜୋର୍‌ରେ ଝଟକା ହେବାରୁ ତାଙ୍କ କୋଚ୍‌ରେ କେତେକ ଯାତ୍ରୀ ପଡ଼ିଯିବା ଦେଖିବା ପରେ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଥିବା କଥା ସେ ଜାଣି ପାରିଲେ।

କାଳବିଳମ୍ବ ନ କରି‌ ସେ ଏହି ଅଘଟଣ ବିଷୟରେ ତାଙ୍କର ସିନିଅର୍‌ ଇନ୍‌ସ୍‌ପେକ୍ଟର୍‌ଙ୍କୁ କହିଲେ ଏବଂ ‘ହ୍ବାଟ୍ସ୍‌ଆପ୍‌’ରେ ‘ଏନ୍‌ଡିଆର୍‌ଏଫ୍‌’ କଣ୍ଟ୍ରୋଲ୍‌ ରୁମ୍‌କୁ ‘ଲାଇଭ୍‌ ଲୋକେସନ୍‌’ ପଠାଇଲେ। ତାଙ୍କଦ୍ବାରା ପଠାଯାଇଥିବା ‘ଲାଇଭ୍‌ ଲୋକେସନ୍‌’କୁ ବ୍ୟବହାର କରି ପ୍ରଥମ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ସରକାରୀ ଅଧିକାରୀମାନେ ‘ପିଟିଆଇ’କୁ କହିଛନ୍ତି।

ସରକାରୀ ଅଧିକାରୀମାନେ କହିଛନ୍ତି, ନିଜେ ଉଦ୍ଧାର ଅଭିଯାନରେ ସାମିଲ ହେବା ଆଗରୁ ଏହି ଦୁର୍ଘଟଣା ବିଷୟରେ ଜରୁରୀକାଳୀନ ସେବାକୁ ସୂଚନା ଦେବାରେ ବୋଧହୁଏ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି।

ଉଲ୍ଲେଖଯୋଗ୍ୟ, କୋଲ୍‌କାତାରେ ‘ଏନ୍‌ଡିଆର୍‌ଏଫ୍‌’ ୨ୟ ବାଟାଲିୟାନ୍‌ରେ ନିଯୁକ୍ତ ୩୯ ବର୍ଷିୟ ଯବାନ ଭେଙ୍କଟେଶ ତା’ପରେ କୋଚ୍‌ଗୁଡ଼ିକ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବାରେ ଲାଗିପଡ଼ିଲେ। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରୁ ସେ ହିଁ ପ୍ରଥମ ଯାତ୍ରୀଙ୍କୁ ବାହାର କରି ରେଳଧାରଣା ନିକଟରେ ଥିବା ଗୋଟାଏ ଦୋକାନରେ ବସାଇବା ପରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଧାଇଁ ଯାଇଥିଲେ।

ସେ କହନ୍ତି, ମୋବାଇଲ୍‌ ଫୋନ୍‌ ଲାଇଟ୍‌ରେ ମୁଁ ଆହତ ଓ ଫସି ରହିଥିବା ଯାତ୍ରୀମାନଙ୍କୁ ଠାବ କରି ନିରାପଦ ସ୍ଥାନକୁ ନେଲି। ଚାରିଆଡ଼େ ଅନ୍ଧାର ହୋଇଥାଏ। ଉଦ୍ଧାରକାରୀ ଦଳ ପହଞ୍ଚିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ବି ଟର୍ଚ ଓ ମୋବାଇଲ୍‌ ଫୋନ୍‌ ଆଲୁଅରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

(ସୌଜନ୍ୟ:ଇଣ୍ଡିଆ ଟୁଡ଼େ)