ଗତକାଲି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଡାକ୍ତରଖାନାରେ ମୃତ ଘୋଷିତ ନବଜାତକ ଶ୍ମଶାନରେ ଚେଇଁ ଉଠିବା ପରେ ଆଜି କିନ୍ତୁ ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଅନ୍ତିମ ସଂସ୍କାର ପାଇଁ ନବଜାତକ କୁ ଶ୍ମଶାନକୁ ନିଆଯାଇଥିବ ବେଳେ ଶିଶୁଟି କାନ୍ଦିବାରୁ ତାକୁ ପୁଣି ଥରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତୃପକ୍ଷ ଜଣାଇଛନ୍ତି I ଫଳରେ ପୁଣିଥରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଖଡ଼ିକାପଡ଼ା ଗ୍ରାମରେ ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କୁ ଙ୍କୁ ସନ୍ତାନ ପ୍ରସବ ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଇ ସେଠାରେ ତାଙ୍କର ଶିଶୁ ପୁତ୍ରଭୂମିଷ୍ଠ ହୋଇଥିଲା ଇମାତ୍ର ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ଏକ ବ୍ୟାଗରେ ପୁରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଘରକୁ ଆସି ସୁନିଆ ମୁଣ୍ଡା ଯେତେବେଳେ ଶିଶୁ କୁ ନେଇ ଅନ୍ତିମ ସଂସ୍କାର ପାଇଁ ଯାଇଥିଲେ ସେଠାରେ ଶିଶୁଟି କାନ୍ଦି ଉଠିଥିଲା ଇ ଏହାପରେ ସୁନିଆ ତୁରନ୍ତ ଆସି ପୁଣି ଥରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତି କରାଇଥିଲେ I ତେବେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସାପାଇଁ ବାରିପଦା ଡାକ୍ତର ଖାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ I କିନ୍ତୁ ଶେଷରେ ଆଜି ନବଜାତକ ଆଖିବୁଜିଛନ୍ତି I