ହେଲମେଟ୍‌ ନପିନ୍ଧି ତଣ୍ଡ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ

ହେଲମେଟ ନ ପିନ୍ଧି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଫାଇନ୍‌ ଗଣିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ। ବାଲେଶ୍ୱର ହେମକା ପଦା ଛକରେ ବିନା ହେଲମେଟ୍‌ରେ ବାଇକରେ ଯାଉଥିବାରୁ ଉଭୟଙ୍କୁ ଲାଗିଲା ଜରିମାନା। ଟ୍ରାଫିକ ଥାନାରେ ପହଞ୍ଚି ୧ ହଜାର ଟଙ୍କା ଫାଇନ୍‌ ଦେଲେ ବିଧାୟକ ସ୍ୱରୂପ ଦାସ।

ଘଟଣାନୁସାରେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାଲେଶ୍ୱର ଜିଲ୍ଲା ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲେ I ଏହି ସମୟରେ ଅଚାନକ ବାଲେଶ୍ବର ସହରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ତାଙ୍କୁ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏକ ବାଇକ ଯୋଗେ ସାଥିରେ ନେଇ ପ୍ରତିଟି ସ୍କୁଲ କୁ ଯାଉଥିଲେ I କିନ୍ତୁ କାହାରି ମୁଣ୍ଡରେ ହେଲମେଟ ନ ଥିଲା I

ବାଲେଶ୍ୱର ହେମକାପଦା ଛକରେ ଜଣେ ସାଧାରଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ହେଲମେଟ୍‌ ନପିନ୍ଧି କେମିତି ଯାଉଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ପରେ ଟ୍ରାଫିକ ପୁଲିସ ତରଫରୁ ମଧ୍ୟ ବିଧାୟକଙ୍କୁ ହେଲମେଟ୍‌ ପିନ୍ଧି ନଥିବା ନେଇ ଫୋନ୍‌ ଆସିଥିଲା। ଏହାପରେ ବିଧାୟକ ଓ ମନ୍ତ୍ରୀ ନିଜ ଭୁଲ୍‌କୁ ସ୍ୱୀକାର କରିଥିଲେ ଓ ଟ୍ରାଫିକ୍‌ ପୁଲିସ ଥାନାକୁ ଯାଇ ଏକ ହଜାର ଟଙ୍କା ଫାଇନ୍‌ ଦେଇଥିବା ବିଧାୟକ ସ୍ୱରୂପ ଦାସ କହିଛନ୍ତି। ଉକ୍ତ ଚାଲାଣଟି ବାଇକ୍‌ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ କଟାଯାଇଥିଲା।