ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ପ୍ରେସ୍‌ମିଟ୍‌, ଏପ୍ରିଲ୍‌ ୨୯ରୁ ନୂଆ ଢାଞ୍ଚାରେ ହେବ ମାଟ୍ରିକ୍‌ ପରୀକ୍ଷା

ଚଳିତ ବର୍ଷ ନୂଆ ଢାଞ୍ଚାରେ ହେବ ମାଟ୍ରିକ୍ ପରୀକ୍ଷା I ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମେ ମାସ ୭ ତାରିଖରେ ଏହି ପରୀକ୍ଷା ସରିବ । ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ରହିବ । ଏପ୍ରିଲ୍‌ ୨୯ରେ ଦ୍ୱିତୀୟ ଭାଷା, ମେ ୨ ରେ ଗଣିତ ପରୀକ୍ଷା, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା, ମେ ୬ରେ ତୃତୀୟ ଭାଷା, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍ ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ I ସେଭିତରୁ ୫୦ ମାର୍କ ମଲଟିପୁଲ ଚୟସ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ । ଛାତ୍ରଛାତ୍ରୀମାନେ ଓଏମଆର ସିଟ୍‌ରେ ମଲଟିପୁଲ ଚୟସ ପ୍ରଶ୍ନର ଉତ୍ତର ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-୨ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ୩ଟି ପଦ୍ଧତିରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ କରାଯିବ । ପ୍ରଥମ ପଦ୍ଧତିରେ ସମ୍ମେଟିଭ୍‌-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କକୁ ୨ଗୁଣ କରାଯିବ । ଦ୍ୱିତୀୟ ପଦ୍ଧତିରେ ସମ୍ମେଟିଭ୍‌-୨ର ମାର୍କକୁ ୨ ଗୁଣ କରି ହିସାବ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟକୁ ୨୦%, ସମ୍ମେଟିଭ୍‌-୧କୁ ୩୦ ପ୍ରତିଶତ ଓ ସମ୍ମେଟିଭ ଆସେସମେଣ୍ଟ-୨କୁ ୫୦ପ୍ରତିଶତ ୱେଟେଜ ଦିଆଯିବ । ଯେଉଁ ଆସେସମେଣ୍ଟରେ ଅଧିକ ମାର୍କ ଥିବ ତାହା ହିଁ ଚୂଡ଼ାନ୍ତ ମାର୍କ ହେବ ।