ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ: ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମଟ୍ରିକ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି।

ପରୀକ୍ଷା ଫଳ ପ୍ରକାଶ ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ହ୍ୱାଟସ‌୍‌ଆପ୍‌ରେ ପରୀକ୍ଷାର୍ଥୀମାନ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି। ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ରେଜଲ୍ଟ ସିଟ୍ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟସ‌୍‌ଆପ୍‌ରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି।

ତେବେ ପରୀକ୍ଷାର୍ଥୀମାନେ ଫର୍ମପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବଲରେ ଲିଙ୍କ୍ ଦିଆଯିବ। ଆସନ୍ତା ୨-୩ ଦିନ ମଧ୍ୟରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଫଳ ପ୍ରକାଶ ପାଇବା ମାତ୍ରେ କୃତୀ ପରୀକ୍ଷାର୍ଥୀମାନେ ହ୍ୱାଟସ‌୍‌ଆପ୍‌ରୁ ସେମାନଙ୍କ ରେଜଲ୍ଟ ସିଚ୍ ସହଜରେ ପାଇପାରିବେ ବୋଲି ଜଣାଯାଇଛି।