ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିନା ଆଡ଼ମ୍ବରରେ ହୀରାବେନଙ୍କ ଶେଷକୃତ୍ୟ କରାଯାଇଛି। ଗାନ୍ଧି ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ନିଜେ ପ୍ରଧାନମନ୍ତ୍ରୀ ମୋଦି ଶେଷକୃତ୍ୟରେ ସାମିଲ ହେବା ସହ ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଇଛନ୍ତି। ୧୦୦ ବର୍ଷୀୟ ହୀରା ବେନଙ୍କ ଅନ୍ତିମ ସଂସ୍କାର ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଆଜି ଭୋର ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପାଇ ମୋଦି ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସିଥିଲେ। ଘରେ ମା’ଙ୍କ ଅନ୍ତିମ ଦର୍ଶନ କରିବା ପରେ ସେ କୋକେଇକୁ ନିଜ କାନ୍ଧରେ ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆଣିଥିଲେ। ଘର ପାଖରୁ ଗୋଟିଏ ଗାଡ଼ି ଯୋଗେ ହୀରାବେନଙ୍କ ମରଶରୀରକୁ ଗାନ୍ଧିନଗର ଶ୍ମଶାନ ଯାଏ ନିଆଯାଇଥିଲା। ଶ୍ମଶାନ ନିକଟରେ ମଧ୍ୟ ପୁଣିଥରେ ମୋଦି ଓ ତାଙ୍କ ଭାଇମାନେ ମା’ଙ୍କ କୋକେଇକୁ ସଂସ୍କାର ଗୃହ ଯାଏ କାନ୍ଧରେ ନେଇଥିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମୋଦି ମା’ଙ୍କୁ ମୁଖାଗ୍ନି ଦେବାର ବେଳର ଭିଡିଓ ସାମ୍ନାକୁ ଆସିଛି। ସେ ମୁଖାଗ୍ନି ଦେବା ପରେ ଏହାର ଚାରି ପାଖରେ ବୁଲି ମା’ଙ୍କୁ ଅନ୍ତିମ ବିଦାୟ ଓ ପ୍ରଣାମ ଜଣାଇଥିଲେ। ଶେଷଥର ପାଇଁ ମୋଦି ନିଜ ମା’ଙ୍କୁ ଡିସେମ୍ବର ୪ରେ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ସେ ମା’ଙ୍କୁ ଭେଟି ବେଶ କିଛି ସମୟ ବିତାଇଥିଲେ। ସବୁବେଳେ ନିଜ ମା’ଙ୍କ ସଂଘର୍ଷ ଓ ପ୍ରେରଣାର କାହାଣୀ କରୁଥିବା ମୋଦି ଆଜି ତାଙ୍କ ପରଲୋକ ପରେ ବେଶ ଭାରବିହ୍ୱଳ ଟ୍ୱିଟ କରିଥିଲେ। ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରାବେନ୍‌ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଜି ଭୋର ସମୟରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।