ସନ୍ଦେହ ଘେରରେ ବିଚାରପତି ଙ୍କ ମୃତ୍ୟୁ,ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ମାମଲାରେ ଟ୍ଵିଷ୍ଟ । ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ବିଚାରପତିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ହତ୍ୟା ଅଭିଯୋଗ ଆଣିଲେ ସୁବାସଙ୍କ ମାଆ,ଭିଣୋଇ ଏବଂ ସମ୍ପର୍କୀୟ । ସୁବାସଙ୍କୁ ତାଙ୍କ ପତ୍ନୀ ଓ ଶଳା ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏନେଇ ସେମାନେ କଟକ ମର୍କତନଗର ଥାନାରେ ଏତଲା ଦେଇଛନ୍ତି ।
ମୋ ପୁଅକୁ ମାରି ଦେଇଛନ୍ତି ବୋଲି ସୁବାସଙ୍କ ମାଆଙ୍କ ଅଭିଯୋଗ କରିଥିବା ବେଳେ ପୁଅକୁ ଛାଡୁ ନଥିଲେ କିମ୍ବା ମୋ ସହ କଥାବାର୍ତ୍ତା କରାଇ ଦେଉଥିଲେ ବୋଲି ମଧ୍ୟ କହିଛନ୍ତି। ବୋହୂ ଏବଂ ତାଙ୍କ ଭାଇ ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହାସହ ସୁବାସଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପିଉସୀଙ୍କ ପୁଅ ,ସମ୍ପର୍କୀୟ ଓ ଭିଣୋଇ ମଧ୍ୟ ଅଭିଯୋଗ କରିଛନ୍ତି। ମୃତଦେହରେ ଆଘାତ ଚିହ୍ନ ଥିଲା, ଆମକୁ ମୃତଦେହ ଦେଖାଇ ଦେଲେ ନାହିଁ ବୋଲି କହିବା ସହ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ, କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଗତକାଲି ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା I ଏହାପରେ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଦିନ ହେବ କୋର୍ଟ ଛୁଟି ଥିବା ବେଳେ ଗତକାଲି ତାଙ୍କ ଷ୍ଟେନୋଙ୍କୁ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ ବିଚାରପତି ସୁବାସ ବିହାରୀ । ଗତ ଦେଢ ବର୍ଷ ତଳେ ବିଚାରପତି ସୁବାସ ବିହାରୀ କଟକ ପୋସ୍କୋ ଅଦାଲତରେ ଯୋଗ ଦେଇଥିଲେ । ଜଣେ ମେଳାପି ଏବଂ କର୍ତ୍ତବ୍ୟନିଷ୍ଠ ବିଚାରପତି ଭାବେ ତାଙ୍କର ସୁଖ୍ୟାତି ଥିଲା ।

CUTTACKPOCSO COURT JUDGE SUICIDEthe family brought allegations of murder