ଜ୍ଞାନବାପୀ ମସ୍‌ଜିଦ୍‌ରେ ଠାବ ଶିବଲିଙ୍ଗର କାର୍ବନ ଡେଟିଂ ପ୍ରସଙ୍ଗ: ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ୩୦କୁ ଧାର୍ଯ୍ୟ

ପ୍ରୟାଗରାଜ: ଜ୍ଞାନବାପୀ ମସ୍‌ଜିଦ ପରିସରରେ ଠାବ କରାଯାଇଥିବା ଶିବଲିଙ୍ଗର କାର୍ବନ ଡେଟିଂ କାର୍ଯ୍ୟ ପ୍ରସଙ୍ଗ ନେଇ ଆଗତ ଏକ ପିଟିସନ୍‌ର ଶୁଣାଣି ଚଳିତମାସ ୩୦ରେ ଅନୁଷ୍ଠିତ ହେବ ବୋଲି ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ କାର୍ବନ ଡେଟିଂ କାର୍ଯ୍ୟ ପାଇଁ ଆବେଦନ କରାଯାଇଥିବାବେଳେ ବାରାଣସୀ ଜିଲ୍ଲା ଜଜ୍ ଏହି ପିଟିସନ୍‌କୁ ଖାରଜ କରିଦେଇଥିଲେ । ଶିବଲିଙ୍ଗକୁ ଯଥାସମ୍ଭବ ସୁରକ୍ଷିତ ରଖିବା ନିମନ୍ତେ ଏହାକୁ କୌଣସି ପରିସ୍ଥିତିରେ ପରୀକ୍ଷା ନିରୀକ୍ଷା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି । ବାରାଣସୀ ଜିଲ୍ଲା ଜଜ୍ ଏହି ନିର୍ଦ୍ଦେଶନାମାକୁ ଆଧାର କରି ଅକ୍ଟୋବର ୧୪ରେ ପିଟିସନକୁ ଖାରଜ କରିଥିଲେ । ଏହାର ପ୍ରତିବାଦରେ ଲକ୍ଷ୍ମୀ ଦେବୀ ଓ ଅନ୍ୟ ମହିଳା ପିଟିସନଧାରୀ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜଷ୍ଟିସ ଜେ.ଜେ.ମୁନିରଙ୍କ ଅଧଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ସର୍ଭେ କାର୍ଯ୍ୟର ସମୟସୀମା ବୃଦ୍ଧି କରିବାକୁ ଅଦାଲତରେ ଦରଖାସ୍ତ କରାଯାଇଛି । ତେବେ ଶିବଲିଙ୍ଗ ପ୍ରତି କ୍ଷତି ପହଞ୍ଚାଇବା ଭଳି କୌଣସି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବନି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ । ଜବାବରେ ଏଏସ୍‌ଆଇ ଓକିଲ ପୁଣି କହିଥିଲେ ଯେ କୌଣସି କ୍ଷତି ନ ପହଞ୍ଚାଇ ଉକ୍ତ ଶିବଲିଙ୍ଗର ଆୟୁ ନିର୍ଦ୍ଧାରଣ କରିବାର ବିକଳ୍ପ ମାଧ୍ୟମ ରହିଛି । ସୂଚନାଯୋଗ୍ୟ ଚଳିତବର୍ଷ ମେ’ ୧୬ରେ ଜ୍ଞାନବାପୀ ମସ୍‌ଜିଦ୍‌ର ସର୍ଭେ ଓ ଭିଡିଓଗ୍ରାଫି କାର୍ଯ୍ୟ ଚାଲିଥିବାବେଳେ ପରିସର ମଧ୍ୟରେ ଏକ ପୁରୁଣା ଶିବଲିଙ୍ଗର ସନ୍ଧାନ ମିଳିଥିଲା । ଏହି ଅବସରରେ ଉକ୍ତ ଶିବଲିଙ୍ଗର ଆୟୁ (କେତେ ପୁରୁଣା) ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ କାର୍ବନ ଡେଟିଂ ଜରିଆରେ ନିର୍ଦ୍ଧାରଣ କରିବାକୁ ହିନ୍ଦୁ ପକ୍ଷ ତରଫରୁ ବାରାଣସୀ ଜିଲ୍ଲା କୋର୍ଟରେ ପିଟିସନ ଦାଏର କରାଯାଇଥିଲା ।