ଆଜି ଆସିବ କାମ ଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ତେଣୁ ଠିକ ସମୟରେ ହୋଇପାରିନଥିଲା ବଜେଟ୍ ଅଧିବେସନ । ଏବେ ନିର୍ବାଚନ ଶେଷ ହୋଇଥିବାରୁ ବିଧାନସଭାର ସ୍ୱଳ୍ପକାଳୀନ ବିଜେଟ୍ ଅଧିବେସନରେ ଆସିବ କାମଚଳା ବଜେଟ୍ । ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଜାତୀୟ ହାର ୮.୮% ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ଓଡ଼ିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟୀକାକରଣ ପାଇଁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୫.୩ ପ୍ରତିଶତ ରହିଛି। ରାଜ୍ୟର ମୁଣ୍ଡ ପିଛା ଆୟ ବି ବଢ଼ିଛି। ଆର୍ଥିକ ବର୍ଷରେ ଏହା ୪୮ ହଜାର ୪୯୯ ଥିବା ବେଳେ ୨୦୨୧-୨୨ରେ ଏହା ୧ ଲକ୍ଷ ୨୭ ହଜାର ୩୮୩ରେ ପହଞ୍ଚିଛି । ୨୦୧୧-୧୨ ତୁଳନାରେ ଏହା ଡବଲ ଡ଼ିଜିଟ ଛୁଇଁଥିବା ବେଳେ ଏ କ୍ଷେତ୍ରରେ ୧୬. ୮% ବୃଦ୍ଧି ହୋଇଛି ।
ରାଜ୍ୟର ଦ୍ରୁତ ଅଭିବୃଦ୍ଧି ହାର, ପୁଞ୍ଜି ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଜନସଂଖ୍ୟାରେ ସ୍ତିରତା ଯୋଗୁଁ ମୁଣ୍ଡ ପିଛା ଆୟ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ରାଜ୍ୟ ଅର୍ଥନୀତିକୁ କୃଷି କ୍ଷେତ୍ରର ଯୋଗଦାନ ରହିଛି ୨୦.୨୧ ପ୍ରତିଶତ ।