ଭୁବନେଶ୍ୱର : ୦୭-୦୮(ପି.ଏନ.ଏ) କ୍ୟାନସର ସନ୍ଦେହ ରେ ଘରୁ ତଡ଼ିଦେଲେ ଶାଶୂଘର ଲୋକେ I ମାନସିକ ନିର୍ଯାତନା ଯୋଗୁ ନବବଧୂ କଲେ ଆତ୍ମହତ୍ୟା। ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ । ମୃତ ମହିଳା ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିବାରୁ ଆତ୍ମହତ୍ୟା କରିଥିବା ମହିଳାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣIନୁସାରେ ଗତ ଜୁନ୍ ୮ ତାରିଖରେ ପ୍ରଜ୍ଞାଙ୍କର ବାହାଘର ହୋଇଥିଲା ଭୁବନେଶ୍ୱରର ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ I ବାହାଘରର ମାତ୍ର ୧୨ ଦିନପରେ ପ୍ରଜ୍ଞାଙ୍କର ଦାନ୍ତ ବିନ୍ଧା ହେଉଥିଲା I ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା I ମାତ୍ର କ୍ୟାନ୍ସର ହୋଇଥିବା ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂ ଘର ଲୋକେ ଘରୁ ବାହାର କରି ଦେଇଥିଲେ। କିନ୍ତୁ ପରେ ଏହା କ୍ୟାନସର ନୁହେଁ ବୋଲି ଜଣାପଡିଥିଲା I ଏହା ସତ୍ତ୍ୱେ ମଧ୍ୟ ଶାଶୂଘର ଲୋକେ ପ୍ରଜ୍ଞା ଙ୍କୁ ଆଉ ଗ୍ରହଣ କରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ I ଏହି ଖବର ପାଇବା ପରେ ପ୍ରଜ୍ଞା ବିଷାଦଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇ ରସୁଲଗଡ଼ ସ୍ଥିତ ନିଜ ଭାଇ ଙ୍କ ଭଡା ଘରେ ରସି ଲଗାଇ ଆତ୍ମ ହତ୍ୟା କରିଥିଲେ I ପୁଲିସ ଏନେଇ ଏକ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶାଶୁ ଘର ଲୋକମାନେ ହିଁ ଦାୟୀ ବୋଲି ପ୍ରଜ୍ଞା ଙ୍କ ଭାଇ ପ୍ରିୟବତ ସ୍ୱାଇଁ ତାଙ୍କ ଏତଲାରେ ଦର୍ଶାଇଛନ୍ତି।