ଶ୍ରୀଲଙ୍କାକୁ ଭାରତର ସହାୟତା ପାଇଁ ପ୍ରଶଂସା କଲା ଆଇଏମଏଫ

ଅର୍ଥନୀତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ପଡ଼ୋଶୀ ଭାରତ ସବୁ ପ୍ରକାରର ସହାୟତା କରୁଛି। ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ତୈଳ ଭଳି ଜରୁରୀ ଜିନିଷ ଭାରତ ସରକାର ଶ୍ରୀଲଙ୍କାକୁ ପଠାଉଛନ୍ତି। ଭାରତର ଏପରି ସହାୟତାକୁ ଆଇଏମଏଫର ଏମଡି କ୍ରିଷ୍ଟାଲିନା ଗେଓରଜିଇଭା ପ୍ରଶଂସା କରିଛନ୍ତି।
ଏଥିସହ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ନିୟମିତ ଭାବେ ଶ୍ରୀଲଙ୍କାର ସ୍ଥିତିକୁ ସୁଧାରିବାକୁ ପ୍ରୟାସ କରୁଥିବା ସେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ମଧ୍ୟ କହିଛନ୍ତି। ଆଇଏମଏଫ-ବିଶ୍ୱବ୍ୟାଙ୍କ ସହ ନିର୍ମଳା ସୀତାରମଣ ଆଲୋଚନା କରୁଥିଲେ। ଏହି ସମୟରେ ହିଁ କ୍ରିଷ୍ଟାଲିନା ଏପରି ବୟାନ ଦେଇଛନ୍ତି।

ବର୍ତ୍ତମାନ ସୃଷ୍ଟି ହୋଇଥିବା ଜିଓପଲଟିକାଲ ସ୍ଥିତିର ପ୍ରଭାବ କେମିତି ବିଶ୍ୱ ଅର୍ଥନୀତି ଓ ଏନର୍ଜି ଦର ବୃଦ୍ଧି ଯୋଗୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ ଗୁଡ଼ିକ ଉପରେ ନିର୍ମଳା ସୀତାରମଣ ଓ କ୍ରିଷ୍ଟାଲିନା ଚିନ୍ତା ପ୍ରକଟ କରିଥିଲେ। ଏହାର ସମାଧାନ ଉପରେ ମଧ୍ୟ ଆଲୋଚନା କରାଯାଇଛି।
ବର୍ତ୍ତମାନ ଶ୍ରୀଲଙ୍କା ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଏପରି ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶରେ ଖାଦ୍ୟ ଠାରୁ ଆରମ୍ଭ କରି ତୈଳର ଅଭାବ ଦେଖାଯାଇଛି। ଦରଦାମ ବୃଦ୍ଧି ଓ ବିଜୁଳି କାଟ ଲକ୍ଷାଧିକ ଲୋକଙ୍କୁ ପ୍ରଭାବିତ କରିଛି। ସ୍ଥିତି ଦିନକୁ ଦିନ ଉତ୍କଟ ହେଉଥିବାରୁ ସରକାରଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ମଧ୍ୟ ବଢ଼ୁଛି। ଏସବୁ ଭିତରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଚାଉଳ ଓ ଡିଜେଲ ଭଳି ସାମଗ୍ରୀ ଯୋଗାଇ ଦିଆଯାଇଛି। ତେଣୁ ଏହାକୁ ଆଇଏମଏଫ ଏମଡି ପ୍ରଶଂସା କରିଛନ୍ତି।

ଏଥିସହ କ୍ରିଷ୍ଟାଲିନା ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତ ବେଶ ସଫଳତାର ସହ ଟିକାକରଣ କାର୍ଯ୍ୟକ୍ରମ କରି କରୋନାକୁ ନିୟନ୍ତ୍ରଣ କରିପାରିଛି। ସେହିପରି ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହଯୋଗ କରିଥିବାରୁ କ୍ରିଷ୍ଟାଲିନା ଏହାକୁ ସାଧୁବାଦ ଜଣାଇନ୍ତି।

ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୱାଶିଂଟନରେ ପହଞ୍ଚି ଏପରି ବୈଠକରେ ଯୋଗଦେଇଛନ୍ତି। ବିଶ୍ୱବ୍ୟାଙ୍କ, ଆଇଏମଏଫ, ଜି୨୦ ଓ ଏଫଏଟିଏଫର ବୈଠକ ବ୍ୟତୀତ ଆଣ୍ଟଲାଟିକ ପରିଷଦରେ ମଧ୍ୟ ସେ ଯୋଗଦେବେ।

ଏହି ଗସ୍ତ ସମୟରେ ସୀତାରମଣ ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିସହ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡାଭିଡ ମାଲପାସଙ୍କ ସହ ବୈଠକ କରିବାରୁ କାର୍ଯ୍ୟକ୍ରମ ଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।