କଳିଙ୍ଗ ଷ୍ଟାଡିୟମରେ ହେଇପାରେ ହକି ବିଶ୍ୱକପ୍ ମ୍ୟାଚ

ନଭେମ୍ବର ମାସ ୨୫ରୁ ଡିସେମ୍ବର ୫ ତାରିଖ ଯାଏ ଭାରତରେ ଆୟୋଜିତ ହେବାକୁଥିବା ଜୁନିୟର ପୁରୁଷ ହକି ବିଶ୍ୱକପ୍ ମ୍ୟାଚ ରେ ଓଡ଼ିଶା ମଧ୍ୟ ଆୟୋଜନ ଦୌଡ଼ରେ ସାମିଲ୍ ହୋଇଛି । ହେଲେ ଏ ଯାଏ ବିଶ୍ୱକପ୍ ପାଇଁ ଭେନ୍ୟୁ ସ୍ଥିର ହୋଇପାରିନାହିଁ। ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଗୁଡ଼ିକ ଗୌହାଟୀ ସହିତ ୨୦୧୬ରେ ଜୁନିୟର ପୁରୁଷ ହକି ବିଶ୍ୱକପର ଆୟୋଜନ କରିଥିବା ଲକ୍ଷ୍ନୌ ପୁଣିଥରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦୌଡ଼ରେ ରହିଛି।

ଟୁର୍ଣ୍ଣାମେଣ୍ଟକୁ ଆଉ ଦୁଇ ମାସ ସମୟ ବାକି ଥିବା ବେଳେ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ହକି ଇଣ୍ଡିଆର ନିଷ୍ପତ୍ତି ଅପେକ୍ଷାରେ ରହିଛି। ଜୁନିୟର ମହିଳା ହକି ବିଶ୍ୱକପର ଆୟୋଜନ ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମରେ ଡିସେମ୍ବର ୫ରୁ ୧୬ ତାରିଖ ଯାଏ ହେବ। ତେବେ ଜୁନିୟର ହକି ବିଶ୍ୱକପ୍ ପାଇଁ ଏଯାଏ ଭେନ୍ୟୁ ସ୍ଥିର ହୋଇନାହିଁ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ ଏଫଆଇଏଚ୍ କମ୍ୟୁନିକେସନ୍ ଡିପାର୍ଟମେଣ୍ଟ କହିଛି, ଏଫଆଇଏଚ୍ ପୁରୁଷ ଜୁନିୟର ହକି ବିଶ୍ୱକପ୍ କେଉଁ ସହରରେ ଆୟୋଜିତ ହେବ, ସେ ନେଇ କିଛି ନିର୍ଦ୍ଧାରିତ ହୋଇପାରିନାହିଁ। ତେବେ ଆମେ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ନିମନ୍ତେ ହକି ଇଣ୍ଡିଆ ସହ ଲଗାତର ଯୋଗଯୋଗରେ ରହିଛୁ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ଆୟୋଜନ ପାଇଁ ଯେଉଁ ତିନୋଟି ସହର ଧାର୍ଯ୍ୟ ହୋଇଛି, ସେଥିରେ ସବୁଠାରୁ ନିମ୍ନରେ ରହିଛି ଗୌହାଟୀ। ସେହିପରି ଓଡ଼ିଶାର ଆଉ ଏକ ସୂତ୍ରରେ ଜଣାପଡ଼ିଛି ଯେ ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏବେ କଥାବାର୍ତ୍ତା ଚାଲିଛି।
ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି। ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ସଫଳତାପୂର୍ବକ ଆୟୋଜନ ହୋଇଥିଲା। ଯାହା ପରେ ଓଡ଼ିଶାରେ ମଧ୍ୟ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।
ଉଭୟ ଲକ୍ଷ୍ନୌ ଓ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରିବାର ସମ୍ପୂର୍ଣ୍ଣ ଭିତ୍ତିଭୂମି ଓ ଅଭିଜ୍ଞତା ରହିଛି। ତେବେ ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ୍ ହେବ ନା ନାହିଁ, ତା’ ଉପରେ ହକି ଇଣ୍ଡିଆ ଫାଇନାଲ୍ ନିଷ୍ପତ୍ତି ନେବ।

Comments (0)
Add Comment