ଶେଷ ହେଲା ରାହୁଲ ଗାନ୍ଧୀଙ୍କ ମୋଦୀ ସାଙ୍ଗିଆ ମାନହାନୀ ମାମଲା ଶୁଣାଣି

ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇଛି। ସୁରତ ସେସନ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏପ୍ରିଲ ୨୦ ତାରିଖରେ କୋର୍ଟ ନିଜ ରାୟ ଶୁଣାଇବେ।

ଆଜି ଶୁଣାଣି ସମୟରେ ରାହୁଲଙ୍କ ପକ୍ଷରୁ ସମସ୍ତ ଦଲିଲ୍ ଦିଆଯାଇଥିଲା।କୋର୍ଟରେ ରାହୁଲଙ୍କ ଓକିଲ କହିଥିଲେ ଯେ ମୋଦୀ ସାଙ୍ଗିଆକୁ ନେଇ କଂଗ୍ରେସ ନେତାଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ନିରପେକ୍ଷ ଶୁଣାଣି ହୋଇ ନାହିଁ। ଏଥିରେ ସର୍ବାଧିକ ଦଣ୍ଡ ଦେବା ଆବଶ୍ୟକ ନୁହେଁ। ସେହିପରି ପ୍ରତିପକ୍ଷର ତର୍କକୁ ମଧ୍ୟ ଶୁଣିଥିଲେ କୋର୍ଟ। ଉଭୟ ପକ୍ଷକୁ ଶୁଣିବା ପରେ ଶେଷରେ ଏପ୍ରିଲ ୨୦ ତାରିଖରେ ଏହାର ରାୟ ଦିଆଯିବ ବୋଲି କୋର୍ଟ କହିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧିତ କରି ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ। ଲଳିତ ମୋଦୀ, ନିରବ ମୋଦୀଙ୍କ ନାମ ନେଇ କହିଥିଲେ ଯେ, ସମସ୍ତ ଚୋରଙ୍କ ସରନେମ ମୋଦୀ ହିଁ କାହିଁକି ରହୁଛି। ଏହାକୁ ଆଧାର କରି ଗୁଜରାଟର ସୁରଟ ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ଯାହା ଉପରେ ଶୁଣାଣି କରି ମାର୍ଚ୍ଚ ମାସରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଦେବା ସହ ୧୫ ହଜାର ଫାଇନ ଲଗାଇଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ସଂସଦରେ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିଲା। ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା। ଏହା ବିରୋଧରେ ରାହୁଲ ଗାନ୍ଧୀ ସୁରତ ସେସନ କୋର୍ଟରେ ଆବେଦନ କରିଛନ୍ତି। ଏପ୍ରିଲ ୨୦ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ ବୋଲି କୋର୍ଟ କହିଛନ୍ତି।

NATIONALPOLITICS