ହୋଲି ପୂର୍ବରୁ ଚାଷୀ ଭାଇଙ୍କ ଆକାଉଣ୍ଟକୁ ଆସିଲା ଉପହାର

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶର ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଉପହାର । ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ୟବତମାଳ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଧନରାଶୀ ବଣ୍ଟନ କରିଛନ୍ତି । ପିଏମ କିସାନ ଯୋଜନାର ୧୬ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଛନ୍ତି ମୋଦୀ । ୨୧,୦୦୦କୋଟିରୁ ଅଧିକ ଟଙ୍କା ଚାଷୀ ଭାଇଙ୍କ ଆକାଉଣ୍ଟକୁ ଯାଇଛି । ୧୧କୋଟିରୁ ଅଧିକ ଚାଷୀଙ୍କ ପରିବାରକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି।

ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି କେବଳ ଗୋଟିଏ ‘କ୍ଲିକ୍’ରେ ୨୧,୦୦୦ କୋଟି ଟଙ୍କା ସିଧାସଳଖ ନଅ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ଏବଂ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ଏହି କାର୍ଯ୍ୟକ୍ରମରେ ମୋଦୀ ସିଧାସଳଖ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେତେବେଳେ ସେ କୃଷି ବିଭାଗ ସମ୍ଭାଳୁଥିଲେ ସେତେବେଳେ ଚାଷୀଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଥିଲା, କିନ୍ତୁ ଟଙ୍କା ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଅନ୍ୟତ୍ର ଯାଉଥିଲା ।

କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । ଏହି ରାଶି ପ୍ରତ୍ୟେକ ୪ ମାସର ବ୍ୟବଧାନରେ କୃଷକଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଆକାରରେ ଦିଆଯାଉଛି । ଅର୍ଥାତ ପ୍ରତ୍ୟେକ ୪ ମାସରେ ଥରେ ଏପରି ମୋଟ ୩ଟି କିସ୍ତିରେ ୬ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଆସୁଛି ।ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୫ ବର୍ଷ ପୂରଣ କରିଛି। କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ୨୦୧୯ ଫେବୃଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଚାଷୀଙ୍କୁ ୨.୮୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି। ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀ କୃଷକମାନଙ୍କୁ ୧୫ଟି କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଛି । ଆଉ ଏବେ ୧ ୬ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ।