ପୌର ଭୋଟ ପାଇଁ ଇଭିଏମ ମେସିନ ରେ ରହିବ NOTA ବିକଳ୍ପ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ସରୁ ସରୁ ଆରମ୍ଭ ହେଇଯିବ ପୌର ନିର୍ବାଚନ। ଏଥର ପୌର ନିର୍ବାଚନ ପାଇଁ ପ୍ରଥମ ଥର ପାଇଁ ଇଭିଏମ୍‌ର ବ୍ୟବହାରହେଉଥିବା ବେଳେ , ପ୍ରାର୍ଥୀ ପସନ୍ଦ ନ ଆସିଲେ ଭୋଟର ଙ୍କ ପାଇଁ ସେଥିରେ NOTA ବିକଳ୍ପ ରଖାଯିବ ବୋଲି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଅର୍ଥାତ ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟଦାତାମାନେ ସେମାନଙ୍କ ପ୍ରସନ୍ଦର ପ୍ରାର୍ଥୀ ନଥିଲେ ଯେଭଳି ନୋଟାରେ ଭୋଟ ଦେଇଥାନ୍ତି ସେଭଳି ଭାବେ ପୌର ଭୋଟରେ ଭୋଟରମାନେ ନୋଟାରେ ବି ଭୋଟ ଦେଇପାରିବେ । ଏହା ପ୍ରଥମ ଥର ପାଇଁ ଲାଗୁ କରାଯାଇଛି ।
ସମ୍ବିଧାନର ଧାରା ୨୪୩ ଜେଡ୍ଏରେ ଦିଆଯାଇଥିବା କ୍ଷମତାର ଉପଯୋଗ କରି ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଭିଏମ୍ ପ୍ୟାନେଲ୍‌ରେ ଶେଷ ପ୍ରାର୍ଥୀଙ୍କ ନାଁ ପରେ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି’ ବୋଲି ଉଲ୍ଲେଖ ରହିବ ଓ ତା’ ସହିତ ପ୍ରାର୍ଥୀଙ୍କ ଚିହ୍ନ ଭଳି ‘NOTA’ ପାଇଁ ମଧ୍ୟ ଏକ ଚିହ୍ନ ରହିବ।

ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୀତଗୋବିନ୍ଦ ସଦନରେ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ୪୮ଟି ମ୍ୟୁନିସପାଲଟି, ୫୯ଟି ବିଜ୍ଞପିତ ପରିଷଦ ଅଞ୍ଚଳ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ସହ ସେମାନଙ୍କର ଅଭିଯୋଗ ଓ ପ୍ରସ୍ତାବ ବିଚାର କରିବାକୁ କହିଥିଲେ। ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାଠାରୁ ଆରମ୍ଭ କରି, ଏଥର ଇଭିଏମ୍‌ରେ ଭୋଟିଂ ହେବା, ଲାଗୁ ହେବାକୁ ଥିବା ଆଦର୍ଶ ଆଚରଣ ବିଧି ଏବଂ ଅନ୍ୟାନ୍ୟ ନିୟମାବଳୀ ବିଷୟରେ ଆଲୋଚନା କରିଛନ୍ତି।

Comments (0)
Add Comment