ଡାଇରେକ୍ଟ ମାର୍କେଟିଙ୍ଗ କମ୍ପାନୀ ଆମୱେ ଇଣ୍ଡିଆର ୭୫୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି । ଏନେଇ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏକ ତଦନ୍ତ ଏଜେନ୍ସି ତାର ବୟାନରେ କହିଛି ଆମୱେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ତାମିଲଲନାଡ଼ୁର ଡିଣ୍ଡିଗୁଲ ଜିଲ୍ଲାରେ ଥିବା ଜମି ଓ କାରଖାନା, ମେସିନାରି ଓ ପ୍ଲାଣ୍ଟ, ଯାନ ବାହନ ବ୍ୟାଙ୍କ ଖାତା ଇତ୍ୟାଦି ଅସ୍ଥାୟୀ ଭାବେ ଜବତ କରାଯାଇଛି ।
ମନି ଲଣ୍ଡ୍ରିଙ୍ଗ ଆକ୍ଟ ଅଧୀନରେ ଆମୱେର ମୋଟ ୭୫୭.୭୭ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି। ସେଥିରେ ୪୧୧.୮୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଓ ଆମୱେ ସମ୍ବନ୍ଧିତ ୩୬ଟି ବ୍ୟାଙ୍କ ଖାତାରେ ୩୪୫.୯୪ କୋଟି ଟଙ୍କାର ଜମା ରାଶି ସାମିଲ ରହିଛି ।
ଫେଡେରାଲ ଏଜେନ୍ସି ଏହି କମ୍ପାନୀ ଉପରେ ମଲ୍ଟି ଲେବୁଲ ମାର୍କେଟିଙ୍ଗରେ ଘୋଟାଲା କରୁଥିବା ଅଭିଯୋଗ କରିଛି । ଯେଉଁଠି ଆମୱେ କମ୍ପାନୀ ଦ୍ୱାରା ଉପଲବ୍ଧ କରାଯାଉଥିବା ଅଧିକାଂଶ ଉତ୍ପାଦର ଦାମ୍ ଖୋଲା ବଜାରରେ ମିଳୁଥିବା ସମାନ ଉତ୍ପାଦର ଦାମ୍ ଠାରୁ ବହୁତ ଅଧିକ ବୋଲି ଜଣା ପଡ଼ିଛି।