କୁକୁର ଶବ୍ଦ ନେଲା ଜୀବନ

ଦୁନିଆରେ କଣ ଚାଲିଛି । ଦିନକୁ ଦିନ ବଦଳୁଛି ଲୋକଙ୍କ ମାନସିକତା । ଆଉ ତାହା ସେମାନେ ଭୁଲି ଯାଉଛନ୍ତି ମାନବିକତା । ଏମିତି ଏକ ଦୃଶ୍ୟ ଆଜି ସାମନାକୁ ଆସିଛି ଆପଣ ପଢିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୋଷା କୁକୁରକୁ ଜଣେ ବୃଦ୍ଧ କୁକୁର କହିବାରୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିନଡିଗୁଲ ଜିଲାରେ।

ପୋଲିସର ସୂଚନାନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲାର ତାଡିକମ୍ବୁ ଥାନା ଅନ୍ତର୍ଗତ ଉଲାଗାମ୍ପାଟିଆର୍କୋଟାମର ବାସିନ୍ଦା ରାୟପ୍ପନ (୬୨) ପଡ଼ୋଶୀଙ୍କ କୁକୁରର ଦିଆଯାଇଥିବା ନାଁରେ ନ ଡାକି କେବଳ କୁକୁର ବୋଲି ସମ୍ବୋଧନ କରୁଥିଲେ।

କୁକୁରର ମାଲିକ ନିର୍ମଳା ଫାତିମା ରାନୀ, ତାଙ୍କ ପୁଅ ଡାନିଏଲ ଏବଂ ଭିନ୍ସେଣ୍ଟ ଏପରି ନ ଡାକିବାକୁ ବାରମ୍ବାର ଚେତାବନୀ ଦେଉଥିଲେ। କିନ୍ତୁ ରାୟପ୍ପନ କୁକୁରକୁ ଏକ ବେଲ୍ଟରେ ବାନ୍ଧି ରଖିବାକୁ କହୁଥିଲେ। ସେମାନେ କୁକୁରକୁ ଖୋଲା ଛାଡ଼ି ଦେଉଥିବାରୁ କୁକୁରକୁ ବାନ୍ଧି ରଖ ବୋଲି ରାୟପ୍ପନ କହୁଥିଲେ।

ତେବେ ଗୁରୁବାର ତାଙ୍କ ନାତି କେଲଭିନଙ୍କୁ ତାଙ୍କ ନିକଟସ୍ଥ ଚାଷଜମିରେ ବୋରଓ୍ବେଲ ବନ୍ଦ କରିବାକୁ କହିଥିଲେ। ପଡ଼ୋଶୀଙ୍କ କୁକୁର ବାହାରେ ବୁଲୁଛି ସାବଧାନରେ ଯିବାକୁ ସେ ତାଙ୍କ ନାତିଙ୍କୁ କହିଥିଲେ। ଏହା ଶୁଣିଦେଇଥିଲେ ପଡ଼ୋଶୀ ନିର୍ମଳା ଏବଂ ତାଙ୍କ ଦୁଇ ପୁଅ। ଏଥିରେ ନିର୍ମଳାଙ୍କ ପୁଅ କ୍ରୋଧିତ ହୋଇ ରାୟପ୍ପନଙ୍କ ଛାତିରେ ଏକ ପଥର ଫିଙ୍ଗିଥିଲେ। ତାଙ୍କୁ କହିଥିଲେ ତୁମକୁ କେତେଥର କହିଛୁ ଆମ କୁକୁର ନାଁ ଧରି ଡାକିବ। କୁକୁର କହିବନି। ରାୟପ୍ପନ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଘଟଣା ପରଠାରୁ ନିର୍ମଳାଙ୍କ ପରିବାର ଫେରାର ଥିଲେ। ସୂଚନା ପାଇବା ପରେ ପୋଲିସ ନିର୍ମଳାଙ୍କ ପରିବାରକୁ ଟ୍ରାକ୍‌ କରି ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି।