ଭୁବନେଶ୍ୱର : ଏଣିକି ଆଉ କେହି ନେବେନି ଯୌତୁକ । ଯୌତୁକ ମୁକ୍ତ ହେବ ଓଡ଼ିଶା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ; ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହେଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା । ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାକୁ ଏକ ଯୌତୁକମୁକ୍ତ ରାଜ୍ୟ ଭାବେ ପରିପ୍ରକାଶ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ତୃଣମୂଳସ୍ତରରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ । ତେଣୁ ଉପଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ସହିତ ଏହି ଆଇନର ଦୁରୂପଯୋଗକୁ ରୋକିବାରେ ଉପଜିଲ୍ଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଓଡ଼ିଶାରେ ଉପଜିଲ୍ଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି । ତେଣୁ କରି ଆଜିର ଏହି ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତି ପରିଡା, ଉପ-ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଇନ ଅନୁଯାୟୀ ଯୌତୁକ ନିଷେଧ ଅଧିକାରୀମାନଙ୍କୁ ଯୌତୁକ ମାମଲାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ଅନୁସନ୍ଧାନ କରିବା ଏବଂ ପ୍ରମାଣ ସଂଗ୍ରହ କରିବାକୁ କ୍ଷମତା ପ୍ରଦାନ କରାଯାଇଛି । ପ୍ରତ୍ୟେକ ଅଧିନିୟମର ସଫଳତା ସଠିକ ଓ ସମୟୋଚିତ କାର୍ଯ୍ୟକାରିତା ତଥା ବ୍ୟାପକ ଜନସଚେତନତା ଉପରେ ନିର୍ଭର କରେ। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସେ ଉପ-ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳାମାନଙ୍କ ସମ୍ମାନ ପାଇଁ ଏହା ଏକ ବଡ ପଦକ୍ଷେପ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।