ସ୍କୁଲ ଖୋଲିବା ନିଷ୍ପତି କେନ୍ଦ୍ର ଏବଂ ରାଜ୍ୟ ସରକାର ନେବେ :ସୁପ୍ରିମକୋର୍ଟ

‘ସାରା ଦେଶରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ କେନ୍ଦ୍ର ଏବଂ ରାଜ୍ୟ ସରକାର।’ କରୋନା ମାମଲା କମିଥିବା ନେଇ ସାରା ଦେଶରେ ସ୍କୁଲ ଖୋଲିବାକୁ ଦାବି କରି ଦିଲ୍ଲୀର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଏଭଳି କହିଛନ୍ତି। ଏଥିସହ ଛାତ୍ରଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି, ଏହି ମାମଲାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। ଏହି ମମଲାରେ ପିଲାଙ୍କୁ ସାମିଲ ହେବା ଉଚିତ ନୁହେଁ। ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ପାଠ ପଢ଼ିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି।
ସେ ଆହୁରି କହିଛନ୍ତି, ‘ପିଲାମାନେ ପୁଣି ସ୍କୁଲ ଯିବା ଜରୁରୀ କିନ୍ତୁ ଏହା ରାଜ୍ୟ ସରକାରମାନେ ହିଁ ନିର୍ଦ୍ଧାରିତ କରିବେ। କରୋନାକୁ ନେଇ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ କିମ୍ବା ଦେଶରେ କୋଭିଡ ବୃଦ୍ଧି ବିଷୟରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ପିଲାମାନଙ୍କୁ ସମ୍ଭାବ୍ୟ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାର ସତର୍କତା ଅବଲମ୍ବନ କରାଯାଇଛି । ତେଣୁ ଅଦାଲତ ଶାସନକୁ ନିଜ ହାତକୁ ନେଇପାରିବେ ନାହିଁ, କି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇ ପାରିବେ ନାହିଁ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହାର ନିଷ୍ପତ୍ତି ନେବେ।’
ସେପଟେ ଏବେବି କରୋନା ମାମଲା କମିନଥିବାରୁ ଅଧିକାଂଶ ରାଜ୍ୟରେ ସ୍କୁଲ ବନ୍ଦ ପଡିଛି। ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ ଜାରି ରହିଛି।

Comments (0)
Add Comment