ଭାରତ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି I ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହାର ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏହାପରେ ଜୁଲାଇ ୨୧ ତାରିଖରେ ଭୋଟ୍ ଗଣତି ହେବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ଆଉ ଏଥିସହିତ ଜୁଲାଇ ୨୫ ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ I ରାଷ୍ଟ୍ରପତି ନିର୍ବାଚନ ନେଇ ଜୁନ୍ ୧୫ରେ ବିଦ୍ଧିବଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ଆଜି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ଜୁନ୍ ୨୯ । ଏହାପରେ ଜୁନ୍ ୩୦ ତାରିଖ ନାମାଙ୍କନ ଯାଞ୍ଚ ଏବଂ ଜୁଲାଇ ୨ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ସୂଚନାଯୋଗ୍ୟ, ଜୁଲାଇ ୨୪ ରେ ସରୁଛି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ।
ପ୍ରେସମିଟରେ ଆହୁରି ମଧ୍ୟ ସୂଚନା ଦେଇ ନିର୍ବାଚନ କମିଶନ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର କେବଳ ନୂଆଦିଲ୍ଲୀରେ ମିଳିବ ଏବଂ ସେହିଠାରେ ହିଁ ଦାଖଲ କରାଯିବ । ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ସହ ୫୦ ଜଣ ପ୍ରସ୍ତାବକ ଓ ୫୦ ସମର୍ଥକ ଦେଇ ନାମାଙ୍କନ କରିବାକୁ ପଡ଼ିବ ।
ରାଷ୍ଟ୍ରପତି ନିର୍ବାଚନରେ ବିଧାନସଭାର ବିଧାୟକ ଓ ସଂସଦର ନିର୍ବାଚିତ ସାଂସଦମାନେ ଭୋଟ୍ ଦେବେ । ସଂସଦ ପରିସର ଓ ବିଧାନସଭା ପରିସରରେ ଭୋଟ୍ ଗ୍ରହଣ ହେବ । ଭୋଟ୍ ଦେବାକୁ ଥିବା ବିଧାୟକ ଓ ସାଂସଦମାନେ ୧,୨,୩ ଲେଖି ନିଜର ପସନ୍ଦ ଜଣାଇବେ । ଯେଉଁ ପ୍ରାର୍ଥୀଙ୍କ ସମର୍ଥନରେ ଅଧିକ ଭୋଟ୍ ରହିବ ସେହି ପ୍ରାର୍ଥୀ ବିଜୟୀ ହେବେ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ । ରାଜ୍ୟସଭା ମହାସଚିବ ନିର୍ବାଚନର ପ୍ରଭାରୀ ହେବେ ଓ ଏଥିସହିତ ର୍ବାଚନରେ କୋଭିଡ୍ ପ୍ରଟୋକଲ୍ ପାଳନ ହେବ ବୋଲି ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।