ବିରୋଧୀ ଦଳକୁ କେବେ କ୍ଷମା ଦେବନି ଦେଶ : ଗୃହମନ୍ତ୍ରୀ

ବିରୋଧୀ ଦଳ ଓ ଖାସ କରି କଂଗ୍ରେସ ଉପରେ ଆଜି ଖୁବ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉତ୍ତର ପ୍ରଦେଶର କୌଶାମ୍ବୀ ପର୍ବର ଉଦଘାଟନ ପରେ ଏକ ଜନସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ନେଇ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ବିରୋଧୀ ଦଳକୁ ଦେଶ କେବେ କ୍ଷମା ଦେବ ନାହିଁ।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆଣିଥିବା ଆଇନ ଆଧାରରେ ହିଁ ରାହୁଲ ଗାନ୍ଧୀଙ୍କୁ ସଂସଦ ସଦସ୍ୟତା ହରାଇବାକୁ ପଡ଼ିଛି। ଗଣତନ୍ତ୍ର ନୁହେଁ ଜାତିବାଦ ଓ ବଂଶବାଦ ରାଜନୀତି ବିପଦରେ ପଡ଼ିଛି ବୋଲି କହିଛନ୍ତି ଅମିତ ଶାହା।

ଏଥିସହ ୨୦୨୪ ମସିହାରେ ସମାଜର ସମସ୍ତ ବର୍ଗର କଲ୍ୟାଣ ପାଇଁ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଶାହା ଲୋକଙ୍କୁ ଆହ୍ବାନ କରିଛନ୍ତି । ସୂଚନାଯୋଗ୍ୟ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ମାର୍ଚ୍ଚ ୨୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଥିଲା ।